ଏଲଓସିରେ ପ୍ରଶିକ୍ଷଣ ନେଉଛନ୍ତି ଆତଙ୍କବାଦୀ: ରିପୋର୍ଟ
ପାକିସ୍ତାନ ସେନା ସେମାନଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି…
ଶ୍ରୀନଗର : ସୀମାପାର ଆତଙ୍କବାଦ ନେଇ ଭାରତୀୟ ସୁରକ୍ଷା ବଳ ହାତରେ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ଲାଗିଛି । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖା (ଏଲଓସି)ର ଅପରପାର୍ଶ୍ୱରେ ସକ୍ରିୟ ରହିଛି ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଆତଙ୍କୀ ଶିବିର । ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଏହି ସବୁ ଆତଙ୍କୀ କ୍ୟାମ୍ପ ସକ୍ରିୟ ରହିଛି । ପାକିସ୍ତାନ ସେନା ସେମାନଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଏହି କ୍ୟାମ୍ପରେ ପ୍ରାୟ ୨ଶହ ଆତଙ୍କବାଦୀ ପ୍ରଶିକ୍ଷିତ ହେଉଛନ୍ତି ।
ସୁଯୋଗ ଦେଖି ସେମାନେ ଏଲଓସି ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବେ । ପାକିସ୍ତାନ ସେନାର କମାଣ୍ଡରମାନେ ତାଙ୍କୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇବାରେ ଲାଗିଛନ୍ତି । ଏହି କ୍ୟାମ୍ପଗୁଡିକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା, ଜୈସ-ଏ ମହମ୍ମଦ, ଜିଜବୁଲ ମୁଜାହିଦ୍ଦିନ ପ୍ରମୁଖ ଆତଙ୍କୀ ଗୋଷ୍ଠୀ ସେମାନଙ୍କ ଜିହାଦୀମାନଙ୍କୁ ଅନୁପ୍ରବେଶ ଓ ଆକ୍ରମଣ ତାଲିମ ଦେଉଛନ୍ତି ବୋଲି ଜଣାପଡିଛି ।