ଶେଷ ହେଲା କି ବିରାଟ କୋହଲି ଯୁଗ!

ଏଜବାଷ୍ଟନ ଟେଷ୍ଟର ସେ ୧୧ ଏବଂ ଦ୍ୱିତୀୟ ଇନିଂସରେ ୨୦ ରନ କରିଛନ୍ତି…

ବର୍ମିଂହାମ : ଏମିତି ଆଉ କେତେ ଦିନ ଖରାପ ଫର୍ମ ଦେଇ ଗତି କରିବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । କେବେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିବ ଶତକ । ତାଙ୍କ ପ୍ରଶଂସକ, କ୍ରିକେଟ ସମୀକ୍ଷକଙ୍କୁ ଘାରିବାରେ ଲାଗିଛି ଏହି ପ୍ରଶ୍ନ । କୋହଲି ଗତ ଅଢେଇ ବର୍ଷ ହେବ ଶତକଟିଏ ଅର୍ଜନ କରି ପାରି ନାହାନ୍ତି । ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟର ଉଭୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି କୋହଲି । ଯଦି ଦିନ ହିସାବରେ ଗଣାଯିବ ତେବେ ଏହି ଷ୍ଟାର ବ୍ୟାଟସମ୍ୟାନ ୯୫୪ ଦିନ ହେବ ଶତକ ଅର୍ଜନ କରି ପାରି ନାହାନ୍ତି । ଏମିତି ଆଉ କେତେ ଦିନ ଚାଲିବ ତାହା କହିବା ବି ମୁସ୍କିଲ । ଏଜବାଷ୍ଟନ ଟେଷ୍ଟର ସେ ୧୧ ଏବଂ ଦ୍ୱିତୀୟ ଇନିଂସରେ ୨୦ ରନ କରିଛନ୍ତି ।

କୋହଲି ଶେଷ ଶତକ ୨୦୧୯ରେ ବାଂଲାଦେଶ ବିପକ୍ଷରେ ହାସଲ କରିଥିଲେ । ଏହା ପରଠ କୋହଲି ୧୮ ଟେଷ୍ଟ, ୨୧ ଦିନିକିଆ ଏବଂ ୨୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ମାତ୍ର ଗୋଟିଏ ହେଲେ ଶତକ ହାସଲ କରିପାରି ନାହାନ୍ତି । ଏହି ସମୟରେ କେଏଲ ରାହୁଲ ଏବଂ ରୋହିତ ଶର୍ମା ୫୧ ଏବଂ ୪୯ ମ୍ୟାଚ ଖେଳିଛନ୍ତି । ଏଥିରେ ରାହୁଲ ୫ ଏବଂ ରୋହିତ ୪ ଶତକ ହାସଲ କରିଛନ୍ତି । କୋହଲି ଏହି ସମୟରେ ୧୮ଟି ଟେଷ୍ଟରେ ୩୨ଟି ଇନିଂସରୁ ୨୭.୨୫ ହାରରେ ୮୭୨ ରନ କରିଛନ୍ତ ।