ଶ୍ରୀଲଙ୍କାରେ ସଙ୍କଟ: ସୈନ୍ୟ ପଠାଇବା ନେଇ ଭାରତର ଖଣ୍ଡନ

ରାଷ୍ଟ୍ରପତି ଭବନ ସମେତ ସରକାରୀ କାର୍ଯ୍ୟାଳୟ ଏବେ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରହିଛି…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଭାରତ ସୈନ୍ୟ ପ୍ରେରଣ କରିପାରେ ଲାଗି ରହିଥିବା ଚର୍ଚ୍ଚାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତ ପକ୍ଷରୁ ସୈନ୍ୟ ପ୍ରେରଣ ନେଇ କୌଣସି ଯୋଜନା ନାହିଁ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ମଧ୍ୟ ଆତ୍ମଗୋପନ କରିଛନ୍ତି । ରାଷ୍ଟ୍ରପତି ଭବନ ସମେତ ସରକାରୀ କାର୍ଯ୍ୟାଳୟ ଏବେ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରହିଛି ।

ଏପରି ଅଣାୟତ୍ତ ସ୍ଥିତିରେ ଭାରତ ସ୍ଥିତି ନିୟନ୍ତ୍ରଣ ପାଇଁ ସୈନ୍ୟ ପ୍ରେରଣ କରିପାରେ ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ପଡୋଶୀ ଶ୍ରୀଲଙ୍କାରେ ବଦଳୁଥିବା ସ୍ଥିତି ଉପରେ ନଜର ରଖାଯାଇଛି ଓ ଆବଶ୍ୟକ ସହାୟତା ମଧ୍ୟ ଯୋଗାଣ ଜାରି ରହିଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଆସିଛି । ଏପରି ସ୍ଥଳେ ସୈନ୍ୟ ପ୍ରେରଣ ନେଇ ଗଣମାଧ୍ୟମ ଚର୍ଚ୍ଚାକୁ ଖଣ୍ଡନ କରିଛି ଭାରତୀୟ ଦୂତାବାସ ।