ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ସରିଥିବା ଟି୨୦ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ ନିରବ ରହିଥିଲା । ସେ ଦୁଇଟି ମ୍ୟାଚରୁ ମାତ୍ର ୧୨ ରନ କରିଥିଲେ । ଫଳରେ ତାଙ୍କୁ ଟି୨୦ ଟିମରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟରେ କପିଲ ଦେବ ମଧ୍ୟ ବିରାଟଙ୍କୁ ବାଦ ଦେବା ଉପରେ ପ୍ରତିକ୍ରିୟା ଦେଇଥିଲେ । ଏବେ ଅଧିନାୟକ ରୋହିତ ଶର୍ମା ବିରାଟଙ୍କ ପାଇଁ ବାହାରିଛନ୍ତି । ଏହାସହ କପିଲଙ୍କ ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଯାହାର ଉତ୍ତରରେ ରୋହିତ କହିଥିଲେ ଯେ, ସେ କପିଲଙ୍କ ବୟାନରେ ସହମତ ନୁହଁନ୍ତି । ସେ କେବଳ ବାହାରୁ ଖେଳ ଦେଖୁଛନ୍ତି । ଦଳ ଭିତରେ କଣ ଚାଲିଛି ତାହା ସେ ଜାଣନ୍ତି ନାହିଁ । ଖେଳାଳିଙ୍କର ନିଜର ଭାବିବା ଶକ୍ତି ରହିଛି ।
ଦଳର ଆଭ୍ୟନ୍ତରୀଣ ମାମଲା ଗୁରୁତ୍ୱପୂର୍ଣ୍ଣ ଓ ସେ ସବୁ ଖେଳାଳିଙ୍କ ସମର୍ଥନ କରନ୍ତି ବୋଲି କହିଛନ୍ତି ରୋହିତ । ସେ ଆହୁରି କହିଛନ୍ତି ଯେ, ଅନେକ ଖରାଫ ଫର୍ମ ଦେଇ ଗତି କରନ୍ତି ପୁଣି ଫେରନ୍ତି । ଏଥିରେ ଖେଳାଳିଙ୍କ ଦକ୍ଷତା ପ୍ରଭାବିତ ହୁଏ ନାହିଁ । ଅନେକ ବର୍ଷ ଧରି ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଗୋଟିଏ ଦୁଇଟି ସିଜିନରେ ଖରାପ ପ୍ରଦର୍ଶନ କଲେ ସେ ଖରାପ ଖେଳାଳି ହୋଇଯାଏ ନାହିଁ ବୋଲି ରୋହିତ କହିଛନ୍ତି ।