ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ସୂଚନା ଅନୁଯାୟୀ ରାଜ୍ୟର ୯ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି….

ଭୁବନେଶ୍ୱର : ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଉପକୂଳ ଏବଂ ପାର୍ଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଛି ଏବଂ ଏହା ସହିତ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚ଼ଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ୯ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଂଜାମ ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟ ମଧ୍ୟରେ ରାୟଗଡ଼ା ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।