ବାଲ୍ୟ ବିବାହ ନ ରୋକିଲେ ପଦରୁ ହଟିବେ ଗାଁ ମୁଖିଆ
ତେଣୁ ମୁଖିଆମାନେ ତତ୍ପର ହେଲେ ରାଜ୍ୟରୁ ବାଲ୍ୟ ବିବାହ ଓ ଯୌତୁକ ରୂପି ରାକ୍ଷାସକୁ ଦୂରେଇ ହେବ….
ପାଟନା: ବିହାରର ଗ୍ରାମପଞ୍ଚାୟତ ମୁଖିଆମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ବାଲ୍ୟ ବିବାହ ତଥା ଯୌତୁକ ପ୍ରଥା ପରି ବ୍ୟାଧୀ ସମାଜକୁ ଗ୍ରାସ କରୁଥିବା ବେଳେ ଏହାକୁ ରୋକିବା ଦାୟିତ୍ୱ ପଞ୍ଚାୟତ ମୁଖିଆଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି । ଏହି ଘଟଣାରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ବିହାର ବିବାହ ପଞ୍ଜୀକରଣ ନିୟମାବଳୀ-୨୦୦୬ ଅନୁଯାୟୀ, ମୁଖିଆଙ୍କୁ ବିବାହ ପଞ୍ଜୀକରଣ ଦାୟିତ୍ୱ ଦିଆଯାଇଛି । ଏଥିନିମନ୍ତେ ବିବାହ ଆଇନ ସମ୍ମତ ହେବା ଉଚିତ । ତେଣୁ ମୁଖିଆମାନେ ତତ୍ପର ହେଲେ ରାଜ୍ୟରୁ ବାଲ୍ୟ ବିବାହ ଓ ଯୌତୁକ ରୂପି ରାକ୍ଷାସକୁ ଦୂରେଇ ହେବ । ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, କୌଣସି ଗାଁରେ ବାଲ୍ୟ ବିବାହ ହେଉଥିବାର ସୂଚନା ମିଳିଲେ ଏଥିନିମନ୍ତେ ଉକ୍ତ ଗାଁର ମୁଖିଆ ଦାୟୀ ରହିବେ ।
ଏହାକୁ ତୁରନ୍ତ ବନ୍ଦ କରିବାକୁ ସେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବେ । ଏହାବାଦ ଯୌତୁକ ପ୍ରଥା ଜନିତ ମାମଲା ସାମନାକୁ ଆସିଲେ ଏ ନେଇ ଜିଲ୍ଲା କଲ୍ୟାଣ ପଦାଧିକାରୀଙ୍କୁ ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଦାୟିତ୍ୱରେ ଖିଲାପ କଲେ ସରକାର ସମ୍ପୃକ୍ତ ପଞ୍ଚାୟତର ମୁଖିଆ ତଥା ବୋର୍ଡ ସଦସ୍ୟଙ୍କୁ ତୁରନ୍ତ ହଟାଇଦେବେ । ଏହାବାଦ ବାଲ୍ୟ ବିବାହ ନିଷେଧ ଅଧିନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କଡ଼ଶ ନିର୍ଦ୍ଦେଶ ଦିଆଯାଇଛି ।