ଶ୍ରୀଲଙ୍କା ସହ ଭାରତକୁ ତୁଳନା କଲେ ଓୱେସୀ

ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ସମାନ ରାସ୍ତାଦେଇ ଗତି କରୁଛନ୍ତି…

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବାସଭବନରେ ଲୋକମାନେ ଯେପରି ପ୍ରବେଶ କରିଥିଲେ, ସେହିଭଳି ଭାରତର ଲୋକମାନେ ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ । ଓୱେସୀ କହିଛନ୍ତି ଯେ ଶ୍ରୀଲଙ୍କାରେ ଏହି ପରିସ୍ଥିତି ଘଟିବାର ମୁଖ୍ୟ କାରଣ ସେଠାରେ ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲେ । ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ସମାନ ରାସ୍ତାଦେଇ ଗତି କରୁଛନ୍ତି । ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ନେତାଙ୍କ ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ ପାଉଛି ବୋଲି କହିଛନ୍ତି ଓୱେସୀ ।

ଓୱେସୀ କହିଛନ୍ତି ଯେ ସିଏଏ, କିସାନ ବିଲ, ଅଗ୍ନିବୀର ଭଳି ପ୍ରସଙ୍ଗରେ ଲୋକମାନେ ପ୍ରତିବାଦ କରି ଆସୁଛନ୍ତି । ଯେଉଁଭଳି ଶ୍ରୀଲଙ୍କାର ଲୋକମାନେ ରାଷ୍ଟ୍ରପତି ଭବନ ଭିତରେ ପସିଥିଲେ, ଠିକ ସେହିଭଳି ଭାରତରେ ମଧ୍ୟ ଲୋକେ ପ୍ରଧାନମନ୍ତ୍ରୀ ଆବାସରେ ପ୍ରବେଶ କରିବେ ଏବଂ ପ୍ରଶ୍ନ କରିବେ ଯେ ଆମକୁ ଚାକିରି ଦିଆଯାଇ ନାହିଁ । ମୁଁ ଏହା କହିବାକୁ ଚାହେଁ ନାହିଁ, ନଚେତ ଆସନ୍ତାକାଲି ମୋ ଉପରେ ୟୁଏପିଏ ଲାଗୁ ହୋଇଯିବ । ଓୱେସି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗତ କିଛି ବର୍ଷ ଧରି କାର୍ଯ୍ୟନିର୍ବାହୀ ସଂସଦରେ ବିଧାନସଭାକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଥିଲା, ଯାହାଦ୍ୱାରା ବିତର୍କର ପରିସର ହ୍ରାସ ପାଇବ ।