‘ନ୍ୟାସନାଲ୍ ହେରାଲ୍ଡ’ ଅଫିସରେ ଲଟକିଲା ତାଲା
ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଘର ନିକଟରେ ପୁଲିସ
କଂଗ୍ରେସ ଅଫିସ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା….
ନୂଆଦିଲ୍ଲୀ: ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ହେରାଲ୍ଡ ସମ୍ବାଦପତ୍ର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଦିନକ ପୂର୍ବରୁ ଇଡି ମନି ଲଣ୍ଡରିଂ ମାମଲାରେ ଜଡ଼ିତ ୧୨ରୁ ଅଧିକ ସ୍ଥାନରେ ଚଢ଼ଉ କରିଥିଲା । ଇଡି’ର ବିନା ଅନୁମତିରେ ନ୍ୟାସନାଲ ହେରାଲ୍ଡ ଅଫିସ ଖୋଲିବ ନାହିଁ । କୌଣସି ପ୍ରକାର ଅପ୍ରୀତିକର ଘଟଣାର ମୁକାବିଲା ପାଇଁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ବିପୁଳ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବାସଭବନ ନିକଟରେ ମଧ୍ୟ ବ୍ୟାପକ ପୁଲିସ ପହରା ଦେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କଂଗ୍ରେସ ଅଫିସ ନିକଟରେ ବିପୁଳ ପୋଲିସ ମୁତୟନକୁ କଡ଼ା ସମାଲୋଚନା କରିଛନ୍ତି । ଶାସକ ଦଳ ପକ୍ଷରୁ ଆତଙ୍କୀ ଭଳି ବ୍ୟବହାର କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ମଙ୍ଗଳବାର ଦିନ ଇଡି ପିଏମ୍ଏଲ୍ଏ ବଳରେ ହେରାଲ୍ଡ ସମ୍ବାଦପତ୍ର ସହ ସଂଶ୍ଲିଷ୍ଟ ପ୍ରାୟ ୧୨ଟି ସ୍ଥାନରେ ଚଢ଼ଉ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲା । ଆଜି ବାହାଦୁର ଶାହ ଜାଫର ମାର୍ଗରେ ଥିବା କାର୍ଯ୍ୟାଳୟରେ ତାଲା ଝୁଲାଇ ଦିଆଯାଇଛି । ତାଲା ଲଟକିଥିବା ସ୍ଥାନଟି ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ନାମରେ ପଞ୍ଜିକରଣ କରାଯାଇଛି । ସୂଚାଇ ଦିଆଯାଉଛି କି, ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ହେଉଛି ନ୍ୟାସନାଲ୍ ହେରାଲ୍ଡ’ର ପ୍ରକାଶକ ।
ଗତମାସରେ ଇଡି ଅଧିକାରୀମାନେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତିନୋଟି ପର୍ଯ୍ୟାୟରେ ୧୧ ଘଂଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ଗତ ଜୁନ୍ ମାସରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇଡି ଅଧିକାରୀମାନେ ଦୀର୍ଘ ୫୦ ଘଂଟାରୁ ଅଧିକ ସମୟ ଜେରା କରିଥିଲେ । ସୋନିଆ ଓ ରାହୁଲଙ୍କ ପ୍ରତି ଇଡି’ର ଆଭିମୁଖ୍ୟକୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭମାନେ ପ୍ରଦର୍ଶନ କରାଯାଇଥିଲା । ରାହୁଲ ଗାନ୍ଧୀଙ୍କଠାରୁ ଇଡି ସନ୍ତୋଷଜନକ ଉତ୍ତର ପାଇ ନଥିଲା । ତେବେ ସୋନିଆ ଗାନ୍ଧୀଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇଛି କି ନା’, ଇଡି ସ୍ପଷ୍ଟ କରିନି ।