ତଦନ୍ତରେ ସହଯୋଗ କରୁନାହାନ୍ତି ପାର୍ଥ ଚାଟାର୍ଜୀ
ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏ ଯାଏ ଇଡି ତାଙ୍କ ନିକଟରୁ ହାତେଇ ପାରି ନାହିଁ…
କୋଲକତା: ଇଡିକୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ବେଙ୍ଗଲର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସବୁବେଳେ ବାହାନା ଦେଖାଇ ପ୍ରଶ୍ନକୁ ଟାଳିବାକୁ ଚେଷ୍ଟା କରୁଛନ୍ତି । ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ଏପରି ପାର୍ଥଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଇଡି ଅଧିକାରୀ ହାଲିଆ ହୋଇ ଯାଉଥିବା ବେଳେ ପାର୍ଥ କିନ୍ତୁ ପାଟି ଫିଟାଉ ନାହାନ୍ତି । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏ ଯାଏ ଇଡି ତାଙ୍କ ନିକଟରୁ ହାତେଇ ପାରି ନାହିଁ । ଇଡି ଅଧିକାରୀ କହିଛନ୍ତି ଯେ, ଗିରଫ ହେବା ପରଠାରୁ ସେ ଆମ ସହ ସହଯୋଗ କରି ନାହାନ୍ତି । ସେ ଅନେକ ସମୟରେ ଥକାପଣର ଅଭିଯୋଗ କରି ଆମର ପ୍ରଶ୍ନର ଉତ୍ତର ଦେଉନାହାନ୍ତି ।
ପାର୍ଥଙ୍କ ସହଯୋଗୀ ଅର୍ପିତା୍କଙ୍କ ଘର ଉପରେ ଚଢ଼ାଉ ସମୟରେ ଉଦ୍ଧାର ହୋଇଥିବା ନଗଦ ତାଙ୍କର ନୁହେଁ ବୋଲି ସେ କହୁଛନ୍ତି । ଏପରିକି ଏହି ଅର୍ଥର ଉତ୍ସ କ’ଣ ସେ ସମ୍ପର୍କରେ କହୁ ନାହାନ୍ତି । ଏହାବାଦ ତାଙ୍କ ନାଁରେ ବହୁ କମ୍ପାନୀ, ବେନିକଟ ହଲ, ଗେଷ୍ଟ ହାଉସ ଥିବା ବେଳେ ସମ୍ପର୍କୀୟଙ୍କ ନାମରେ ମଧ୍ୟ ବହୁ ସମ୍ପତ୍ତି ରହିଛି । ଅର୍ପିତାଙ୍କ ଦୁଇଟି ଘରେ ଇଡି ରେଡ କରି ୫୦ କୋଟି ଟଙ୍କା ଓ ୫ କେଜିରୁ ଅଧିକ ସୁନା ମଧ୍ୟ ଜବତ କରିଛି । ଏବେ ଘଟଣାର ଅଧିକ ଖୋଳତାଡ଼ ବେଳେ ଇଡିକୁ ବିଲକୁଲ ସହଯୋଗ କରୁ ନାହାନ୍ତି ପାର୍ଥ ।