ବାମାକୋ : ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି । ଏଥିରେ ୪୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇବା ସହ ୨୨ ଜଣ ସୁରକ୍ଷାକର୍ମୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଲିର ଟେଷ୍ଟି ସହରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କୀ ସଂଗଠନ ଆଇଏସ ଏପରି ନରସଂହାର କରିଥିବା ଜଣାପଡ଼ିଛି । ଆତଙ୍କୀ ହମଲାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସରକାର କହିଛନ୍ତି ଯେ ଆଇଏସଜିଏସ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଯୋଜନାବଦ୍ଧ ଓ ଭୟଙ୍କର ଆକ୍ରମଣକୁ ବେଶ ସାହାସର ସହ ଦେଶର ଆର୍ମି ଯବାନମାନେ ମୁକାବିଲା କରିଛନ୍ତି । ଆତଙ୍କବାଦୀମାନେ ଡ୍ରୋନ, ବିସ୍ଫୋରକ, କାର ବୋମା ଓ ରାଇଫଲ ଦ୍ୱାରା ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଥିଲେ । ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ । ଦୀର୍ଘ ଘଣ୍ଟାର ଘମାଘୋଟ ଲଢେ଼ଥ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।