ରାଂଚି: ଶୁକ୍ରବାର ରାତିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ମହାଗଠବନ୍ଧନର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା ବେଳେ ଜଣେ ବିଧାୟକ ଓଡ଼ିଶା ବିଷୟ ଉଠାଇ ଝାଡ଼ଖଣ୍ଡକୁ ପାଣ୍ଡିଆନ୍ଙ୍କ ଭଳି ଦକ୍ଷ ପ୍ରଶାସକ ଦରକାର ବୋଲି କହିଲେ । ସଂପୃକ୍ତ ବିଧାୟକ ହେମନ୍ତ ସୋରେନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଗୁମର କହିବାକୁ ଭୁଲି ନଥିଲେ । ବିଧାୟକଙ୍କ ମତରେ ପାଣ୍ଡିଆନ୍ଙ୍କ ଭଳି ଦକ୍ଷ ଟାଉଟର ଥିବାରୁ ଯାବତୀୟ ଅଳିଆ ଭିତରେ ବୁଡ଼ି ରହିଥିଲେ ମଧ୍ୟ ନବୀନବାବୁଙ୍କ ଧଳା ପଞ୍ଜାବୀରେ ଦାଗଟିଏ ଲାଗିପାରିନି ।
ମୋଟ ଉପରେ କହିଲେ, ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବିଧାନିକ ପଦବୀର ଅପବ୍ୟବହାର ମାମୁଲି ବ୍ୟାପାର । ‘ନେଇଆଣି ଥୋଇପାରିଲେ, ଚୋରି ବିଦ୍ୟା ଭଲ’, ରାଜନୀତିରେ ଏ ମନ୍ତ୍ରଟିର ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୋରି ବିଦ୍ୟାଟିକୁ ଭଲ ଭାବରେ ନେଇଆଣି ଥୋଇପାରିଛନ୍ତି ବୋଲି ବିଜେପି, କଂଗ୍ରେସ ଭଳି ଶକ୍ତିଶାଳୀ ଦଳ ତାଙ୍କୁ କ୍ଷମତାରୁ ହଟାଇ ପାରୁନାହାନ୍ତି । ରାଜ୍ୟବାସୀଙ୍କ ହାତରେ କାଳିଆ ଟଙ୍କା ଭଳି ଲଲିପପ୍ ଧରାଇ ରାଜକୋଷରୁ କୋଟିକୋଟି ଟଙ୍କା ଚଳୁ କଲେ ମଧ୍ୟ ତାଙ୍କ ଧଳାପୋଷାକରେ ବିରୋଧୀମାନେ ଦାଗ ଲଗାଇ ପାରୁନାହାନ୍ତି । କିନ୍ତୁ ହେମନ୍ତ ସୋରେନଙ୍କ ପାଖରେ ପାଣ୍ଡିଆନ୍ ଭଳି ଦକ୍ଷ ଟାଉଟରଟିଏ ଥିଲେ, ସହଜରେ ନିର୍ବାଚନ ଆୟୋଗକୁ ଭୂଅାଁ ବୁଲାଇ ପାରିଥାନ୍ତେ ।
ଲୋକଙ୍କ ସେବା କରିବା ଆଳରେ କ୍ଷମତାକୁ ଯାଇ ଚଉଦ ପୁରୁଷ ପାଇଁ ଧନ ସାଇତିବାର କଳା ଆମ ରାଜନେତାମାନଙ୍କୁ ଭଲ ଭାବରେ ଜଣା । ମୁଖ୍ୟମନ୍ତ୍ରୀ ପଦଟି ଲାଭଜନକ ବ୍ୟବସାୟ ଭିତରେ ଗଣାହୁଏନା । କିନ୍ତୁ ସେହି ପଦବୀରେ ରହି ସ୍ତ୍ରୀ, ପିଲା, ଭାଇ, ଭଉଣୀଙ୍କ ସମେତ ପରିବାର ଲୋକଙ୍କ ସ୍ୱାର୍ଥ ବିଜଡ଼ିତ କାମ କରିବା ଲାଭଜନକ ବେଉସାର ଅଂଗ ପାଲଟିଯାଏ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆପଣା ପରିବାର ପାଇଁ ଖଣିପଟ୍ଟା ହାସଲ କରିଛନ୍ତି । କିଛି ବ୍ୟବସାୟରେ ପୁଞ୍ଜି ନିବେଶ କରିଛନ୍ତି ।
ବିଚରା ହେମନ୍ତବାବୁ ବିଧାୟକ ପଦଟିକୁ ହରାଇ ମୁଖ୍ୟମନ୍ତ୍ରୀ ଚଉକି ବଂଚାଇବା ପାଇଁ ମହାଗଠବନ୍ଧନର ସବୁ ବିଧାୟକଙ୍କୁ ଧରି ଖୁଂଟି ରିସର୍ଟ ଅଭିମୁଖେ ବାହାରିଛନ୍ତି । ଚଉକି ଚାଲିଯିବାର ଭୟରେ ହେମନ୍ତଙ୍କୁ ନିଦ ହେଉନି, କିନ୍ତୁ ମୁହଁଫୁଟାଣି ମାରି କହୁଛନ୍ତି କ’ଣ ନା ସେମାନେ ଆଦିବାସୀ । ପିଲାଦିନରୁ ବାପାମା’ମାନେ ସେମାନଙ୍କ ମନରୁ ଡର ବା ଭୟ ହଟାଇ ଦେଇଛନ୍ତି । ପୁଣି କହୁଛନ୍ତି କ’ଣ ନା, ସେମାନେ ଆଦିବାସୀ, ପିଲାଦିନରୁ ଲଢ଼ିବାର ସବୁ କଳାକୌଶଳ ସେମାନଙ୍କୁ ଜଣା । କେବଳ ହେମନ୍ତ ନୁହନ୍ତି, ବିପଦରେ ପଡ଼ିଲେ ସବୁ ରାଜନେତାମାନେ ସେମାନଙ୍କ ଜାତି, ଗୋତ୍ର, ବର୍ଣ୍ଣ, ସଂପ୍ରଦାୟକୁ ଅସ୍ତ୍ର କରିବାକୁ ପଛାନ୍ତି ନାହିଁ ।