ଏଣିକି ବିଦେଶ ରାସ୍ତା ଉପରେ ଭାରତୀୟଙ୍କ ରାଜୁତି

ସାରାଦେଶରେ ଏକକ ଡ୍ରାଇଭିଂ ପ୍ରମାଣପତ୍ର ବ୍ୟବସ୍ଥା….

ନୂଆଦିଲ୍ଲୀ: ସାରାଦେଶ ଓ ବିଦେଶରେ ଗୋଟିଏ ପ୍ରକାର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ପୂର୍ବରୁ ସବୁ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ଭିନ୍ନ ରଙ୍ଗର ଥିଲା । ମାତ୍ର ଆନ୍ତର୍ଜାତିକ ଡ୍ରାଇଭିଂ ଅନୁମତି ପାଇବା ପରେ ଭାରତ ସରକାର ଚଳିତ ମାସ ୨୬ ତାରିଖରୁ ବିଧିବଦ୍ଧ ଭାବେ ଏକକ ଡ୍ରାଇଭିଂ ପ୍ରମାଣପତ୍ର ପ୍ରଚଳନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍‌ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସୁଗମ କରାଯାଇଛି । ଏଠାରେ ଜଣାଇ ଦିଆଯାଉଛି, ଭାରତ କିଛି ମାସ ତଳେ ଆନ୍ତର୍ଜାତିକ ସଡ଼କ ପରିବହନ ଚୁକ୍ତି ୧୯୪୯ (ଜେନେଭା ଚୁକ୍ତି) ଅନୁସାରେ ବୁଝାମଣା କରିଥିଲା । ତଦନୁଯାୟୀ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍‌ ଯୋଗାଇବାକୁ ବାଧ୍ୟ । ରାଜିନାମା ମୁତାବକ ଭାରତ ନିଜ ନାଗରିକଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍‌ ପ୍ରଦାନ କରିବ । ଏହାବାଦ ଜେନେଭା ରାଜିନାମାରେ ଅଙ୍ଗୀକାରବଦ୍ଧ ସବୁ ସଭ୍ୟ ରାଷ୍ଟ୍ର ଭାରତର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍‌ ପ୍ରଦାନ କରିବାକୁ ବାଧ୍ୟ ।