ଗୁଆହାଟୀ: ମୁସଲିମ ଶିକ୍ଷାନୁଷ୍ଠାନ ମଦ୍ରାସାରେ ଆତଙ୍କୀ ପାଠ ପଢ଼ାଯାଉଛି । ପବିତ୍ର ମଦ୍ରାସା ଏବେ ଆତଙ୍କୀ ପେଣ୍ଠସ୍ଥଳ ପାଲଟିଛି । ବିଦେଶରୁ ମୌଲବୀ ଓ ଧର୍ମ ପ୍ରଚାରକମାନେ ମଦ୍ରାସାକୁ ଆସୁଛନ୍ତି । ବିଦ୍ୱେଷତାର ପାଠ ପଢ଼ାଉଛନ୍ତି । ସାମ୍ପ୍ରଦାୟିକତାର ପାଠ ପଢ଼ାଇ ଶାନ୍ତିପ୍ରିୟ ଭାରତକୁ ଅଶାନ୍ତିର ନିଅାଁରେ ପୋଡ଼ିଦେବାକୁ କୁହାଯାଉଛି । ମଦ୍ରାସାରେ ପିଲାମାନଙ୍କୁ ପାଠ ପଢ଼ାଇବା ବଦଳରେ ବନ୍ଧୁକ ଚାଳନା, ବୋମା ତିଆରି, ଲ୍ୟାଣ୍ଡ ମାଇନ୍ ପ୍ରସ୍ତୁତି ପ୍ରଭୃତି ଶିକ୍ଷା ଦିଆଯାଉଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି । କିଛିଦିନ ତଳେ ଆସାମର ଦୁଇଟି ମଦ୍ରାସା ଉପରେ ବୁଲଡୋଜର ଚଲାଇ ଦିଆଯାଇଛି । ଉକ୍ତ ମଦ୍ରାସାରେ ଲସ୍କର ସଂଗଠନର ଆତଙ୍କୀମାନେ ରହି ପିଲାମାନଙ୍କୁ ଆତଙ୍କୀ ତାଲିମ ଦେଉଥିବାର ଗୋପନୀୟ ରିପୋର୍ଟ ପାଇବା ପରେ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ ।
ଆସାମର ବରପେଟା ଜିଲ୍ଲାରେ ପ୍ରତିଷ୍ଠିତ ଏକ ଘରୋଇ ମଦ୍ରାସାରେ ପିଲାମାନଙ୍କୁ ପାଠ ବଦଳରେ ଆତଙ୍କୀ ତାଲିମ ଦିଆଯାଉଥିଲା । ଉକ୍ତ ମଦ୍ରାସାଟି ସରକାରୀ ଜମିରେ ନିର୍ମାଣ କରାଯାଇଥିବା ଦର୍ଶାଇ ପ୍ରଶାସନ ଭାଙ୍ଗିଦେଇଥିଲା । ପୋଲିସ ଦୁଇଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି ।
ସେହିପରି ଅଗଷ୍ଟ ୪ ତାରିଖରେ ମୋରିଗାଁଓ ଜିଲ୍ଲାରେ ସାରୁଲ୍ଲାହ ବଙ୍ଗଲା ଓ ଏକ୍ୟୁଆଇଏସ୍ ସଂଗଠନ ସହ ଜଡ଼ିତ ଅଭିଯୋଗରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଥିଲା । ପୁଲିସ ମଦ୍ରାସା ପରିଚାଳକଙ୍କୁ ପ୍ରଥମେ ଗିରଫ କରିଥିଲା । ତା’ପରେ ମଦ୍ରାସା ଉପରେ ବୁଲଡୋଜର ଚଳାଇଥିଲା ।
୨୦୨୦ ମସିହାରୁ ଆସାମ ସରକାର ମଦ୍ରାସାଗୁଡ଼ିକୁ ଅନୁଦାନ ପ୍ରଦାନ ବନ୍ଦ କରିଥିଲେ । ସେତେବେଳେ ହେମନ୍ତ ଶିକ୍ଷାମନ୍ତ୍ରୀ ଥିଲେ । ସରକାରଙ୍କ ନିଷ୍ପତି କାରଣରୁ ଆସାମରେ ପ୍ରାୟ ୮୦୦ ମଦ୍ରାସା ବନ୍ଦ ହୋଇଗଲା । ମାତ୍ର ଏବେ ଏକ ହଜାରରୁ ଅଧିକ ଘରୋଇ ମଦ୍ରାସା ଚାଲିଛି । ସବୁ ଘରୋଇ ମଦ୍ରାସାର ପରିଚାଳନା ଭାର ଅଲ ଆସାମ ତଂଜିମ ମଦାରିସ କୌମିୟା ଉପରେ ।
ନିଜ ରାଜ୍ୟର ମଦ୍ରାସା ପ୍ରତି କଠୋର ଆଭିମୁଖ୍ୟ ପୋଷଣ ପରେ ଆସାମ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।