ଧନ୍ୟ ନବୀନବାବୁ, ଆପଣଙ୍କୁ ପାଇ ଓଡିଶା ଗର୍ବିତ(ନବୀନବାବୁଙ୍କ ଫଟୋ)

ବିଜେଡି ଅମଳରେ ବିଜେଡି ଅସୁରକ୍ଷିତ, ଦଳପତି ସମ୍ମାନୀତ

ଭୁବନେଶ୍ୱର: ନିକଟ ଅତୀତରେ ପ୍ରକାଶିତ ବିଜେଡି ମହିଳା ଶାଖା କାର୍ଯ୍ୟକାରିଣୀ ତାଲିକାରେ ଜଣେ ପରଲୋକଗତ ମହିଳା ନେତ୍ରୀଙ୍କ ନାମ ଥିବାରୁ ଲୋକମାନେ ଦଳପତିଙ୍କ ପାରିବାପଣିଆ ଉପରେ ସନ୍ଦେହପ୍ରକାଶ କରିଛନ୍ତି । ସଂପୃକ୍ତ ପରଲୋକଗତ ମହିଳା ନେତ୍ରୀ ହେଉଛନ୍ତି ମୀନାକ୍ଷୀ ମିଶ୍ର । ମୀନାକ୍ଷୀଙ୍କୁ ବ୍ରହ୍ମପୁର ବିଜେଡି ଭଲଭାବରେ ଜାଣିଛି । ଖାଲି ସେତିକିରେ ମୀନାକ୍ଷୀଙ୍କ ପରିଚୟ ସୀମିତ ନାହିଁ ।
ପୁଅର ସୁରକ୍ଷା ଦାବି କରି ମୀନାକ୍ଷୀ ୨୦୨୦ ଫେବୃଆରୀ ୧୨ ତାରିଖରେ ବ୍ରହ୍ମପୁର ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଦେଇ ନବୀନବାବୁଙ୍କ ଶାସନରେ ମହିଳାଙ୍କ ପ୍ରତି ପୁଲିସ ପ୍ରଶାସନର ବେପରୁଆ ମନୋଭାବକୁ ପଦାରେ ପକାଇଥିଲେ । ସେଭଳି ଜଣେ ଟାଣୁଆ ନେତ୍ରୀଙ୍କୁ ବଂଚିବାକୁ ନଦେଇ ବିଜେଡି ରାଜ୍ୟର ମହିଳାଙ୍କ ପ୍ରତି କେତେ ସମ୍ବେଦନଶୀଳ, ତା’ର ପ୍ରମାଣ ଦେଇସାରିଛି । ଏବେ ମୀନାକ୍ଷୀ ମରିଯିବା ପରେ ଦଳର କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇବା ଦଳପତିଙ୍କ ନିଶାଗ୍ରସ୍ତ ମନୋଭାବକୁ ଧରାପକାଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମୀନାକ୍ଷୀ ମରିଥିବା ଖବର ସାରା ରାଜ୍ୟବାସୀ ଜାଣିଥିଲା ବେଳେ ବିଜେଡି ଦଳପତି କିଭଳି ଜାଣିପାରିଲେନି? ଠିକ୍‌ ଅଛି, ଏକାଧାରରେ ମୁଖ୍ୟମନ୍ତ୍ରୀ ଓ ଦଳପତି ଭଳି ଦୁଇଟି ମୁଖ୍ୟ ପଦବୀରେ ରହି ନବୀନବାବୁ ମୀନାକ୍ଷୀଙ୍କ ମୃତ୍ୟୁକଥା ଭୁଲି ଯାଇଥିବେ । ତେବେ ତାଲିକା ପ୍ରକାଶ ପାଇବା ପୂର୍ବରୁ ଦଳର ବ୍ରହ୍ମପୁର ନେତାମାନେ ଦଳପତିଙ୍କୁ ମୀନାକ୍ଷୀଙ୍କ ଆତ୍ମାହୁତି ଖବର ଜଣାଇନାହାନ୍ତି କିପରି?
ଏଥିରୁ ବି ଦୁଇଟି କଥା ଉଠୁଛି, ଯାହା ଜଣାଯାଏ, ତାଲିକା ପ୍ରସ୍ତୁତ କରିଥିବା ନେତାମାନେ ସବୁ ଜିଲ୍ଲାର ନେତାମାନଙ୍କ ସହ ଆଲୋଚନା ନକରି ପୁରୁଣା ସଭ୍ୟଙ୍କ ତାଲିକାକୁ ଆଧାର କରି ନୂଆ ତାଲିକା ତିଆରି କରିଛନ୍ତି ।
ଯେଉଁ କ୍ଷମତାସୀନ ଦଳ ନିଜ ଦଳର ଟାଣୁଆ ନେତ୍ରୀଙ୍କୁ ନ୍ୟାୟ ଦେଇପାରୁନି; ନ୍ୟାୟ ଦାବି କରି ମୀନାକ୍ଷୀ ମିଶ୍ରଙ୍କୁ ଆତ୍ମାହୁତି ଦେବାକୁ ପଡ଼ିଲା । ସେ ଦଳର ମୁଖ୍ୟମନ୍ତ୍ରୀ ତଥା ଦଳପତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ବିଷୟ ନୁହେଁ କି? କେବଳ ନବୀନବାବୁଙ୍କ ଭଳି ଦଳପତିଙ୍କ ଅମଳରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାର ସୁଯୋଗ ମିଳୁଛି । ଧନ୍ୟ ନବୀନବାବୁ, ଧନ୍ୟ ଆପଣଙ୍କ ମହିମା ।