ଦ୍ରୁତଗତି ନେଲା ଟାଟାଗ୍ରୁପ ପୂର୍ବତନ ଅଧ୍ୟକ୍ଷଙ୍କ ଜୀବନ

ଟାଟାଗ୍ରୁପ ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ର

ରାସ୍ତାକଡ଼ ଡିଭାଇଡରୁ ପିଟିଲା ମର୍ସିଡିଜ୍‌…

ମୁମ୍ବାଇ: ଆଉ ନାହାନ୍ତି ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀ । ମୁମ୍ବାଇରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଚାଲିଗଲେ ୫୪ ବର୍ଷୀୟ ମିସ୍ତ୍ରୀ । ଘଂଟାପ୍ରତି ୧୩୬ କିଲୋମିଟର ବେଗରେ ଧାବମାନ ମର୍ସିଡିଜ ରାସ୍ତାକଡ଼ ଡିଭାଇଡରରେ ଏତେ ଜୋରରେ ପିଟି ହୋଇଗଲା ଯେ ଘଟଣାସ୍ଥଳରେ ସାଇରସ୍‌ ମିସ୍ତ୍ରୀ ଓ ତାଙ୍କ ସାଙ୍ଗ ଜାହାଙ୍ଗୀର ପ୍ରାଣ ହରାଇଲେ । ଗାଡ଼ି ଚାଳକ ଡାକ୍ତର ଅନାୟତା ଓ ତାଙ୍କ ସ୍ୱାମୀ ଦାରିୟାସ ପଣ୍ଡୋଲେ ଗୁରୁତର ଆହତ ହୋଇ ଜେଜେ ହସ୍ପିଟାଲରେ ମୃତ୍ୟୁ ସହିତ ଲଢୁଛନ୍ତି । ମୃତ ମିସ୍ତ୍ରୀଙ୍କ ପତ୍ନୀ ଓ ପୁଅ ବିଦେଶରୁ ଫେରୁଛନ୍ତି । ଜନୈକ ସମ୍ପର୍କୀୟଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମା’ ପୁଅ ବିଦେଶ ଯାଇଥିଲେ । ରାସ୍ତାକଡ଼ ହୋର୍ଡିଂ କାରଣରୁ ଦୁର୍ଘଟଣା ଘଟିଲା ବୋଲି କାରଚାଳକ ଅନାୟତା ତାଙ୍କ ବୟାନରେ କହିଛନ୍ତି । ଅନ୍ୟ ପକ୍ଷରେ ରାଜପଥ କଡ଼ରେ ଲଗାଯାଇଥିବା ସିସିଟିଭି ଫୁଟେଜରୁ ସାଇରସଙ୍କ କାରଟିର ବେଗ ଜଣାପଡ଼ିଛି । ପଛପଟ ସିଟ୍‌ ବେଲ୍ଟ ବାନ୍ଧି ନଥିବାରୁ ମିସ୍ତ୍ରୀ ଓ ତାଙ୍କ ସାଙ୍ଗ ଜାହାଙ୍ଗିର ଅକାଳରେ ଝଡ଼ିଗଲେ । ଦୁର୍ଘଟଣା ଘଟିବା ମାତ୍ରେ ଆଗପଟ ବେଲୁନଟି ଖୋଲିଗଲା; ମାତ୍ର ପଛପଟ ବେଲୁନଟି ହଠାତ୍‌ ଖୋଲିଲା ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି, ମିସ୍ତ୍ରୀଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ସାଂଘାତିକ କ୍ଷତିଗ୍ରସ୍ତ ହୋଇଥିବାରୁ ହଠାତ୍‌ ପ୍ରାଣ ଚାଲିଯାଇଛି । ତାଙ୍କ ସାଙ୍ଗ ଜାହାଙ୍ଗୀରଙ୍କ ଅବସ୍ଥା ମଧ୍ୟ ସେୟା ।
ଉତୁପାତିଆ ଚାଳକଙ୍କୁ ମୃତକ ମିସ୍ତ୍ରୀ ଏକ ଚେତାବନୀ ଦେଇ ଯାଇଛନ୍ତି, ‘ଭାଇ ଓ ଭଉଣୀମାନେ । ମୋ ବାନ୍ଧବୀ ଦ୍ରୁତଗତିର ମଜା ନେବାରୁ ମୋ ପ୍ରାଣ ଚାଲିଗଲା । ଆପଣମାନେ ଏଭଳି ବିରାଟ ଭୁଲ କରିବେନି । ଦ୍ରୁତଗତିର ମଜା ନେବାକୁ ଉଦ୍ୟମ କରିବେ ନାହିଁ କି ସଂପର୍କୀୟଙ୍କ ଜୀବନ ପାଇଁ ଦାୟୀ ରହିବେନି ।’
ଗୁଜରାଟର ଉଦୱାଡ଼ାସ୍ଥିତ ପାର୍ସୀ ମନ୍ଦିରରୁ ଫେରୁଥିଲା ବେଳେ ମହାରାଷ୍ଟ୍ରର ପାଲଘର ନିକଟରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥ ଉପରେ ଥିବା ସୂର୍ଯ୍ୟନଦୀ ପୋଲ ଡିଭାଇଡରଟିରେ ମିସ୍ତ୍ରୀଙ୍କ କାର ପିଟି ହୋଇଗଲା । ରବିବାର ଦ୍ୱିପ୍ରହର ୨ଟା ୨୧ ମିନିଟ୍‌ରେ ତାଙ୍କ କାରଟି ଚରୌତୀ ଚେକ୍‌ପୋଷ୍ଟ ଅତିକ୍ରମ କରିଥିଲା । ସେଠାରୁ ଦୁର୍ଘଟଣାସ୍ଥଳଟି ପ୍ରାୟ ୨୦ କିମି ଦୂର ହେବ । ଉକ୍ତ ୨୦ କିମି ରାସ୍ତାକୁ ମିସ୍ତ୍ରୀଙ୍କ କାର ମାତ୍ର ୯ ମିନିଟ୍‌ ସମୟ ନେଇଥିଲା ।
ସାଇରସ୍‌ ମିସ୍ତ୍ରୀଙ୍କର ସବୁଠାରୁ ବଡ଼ ପରିଚୟ ହେଉଛି ସେ ୨୦୧୨ ଡିସେମ୍ବରରେ ଟାଟା ଗ୍ରୁପର ଚେୟାରମ୍ୟାନ୍‌ ପଦବୀରେ ଅଧିଷ୍ଠିତ ହୋଇଥିଲେ । ଟାଟା ଗ୍ରୁପରେ ମିସ୍ତ୍ରୀ ପରିବାରର ୧୮ ଭାଗ ମାଲିକାନା ରହିଛି । ଏବେମଧ୍ୟ ଟାଟା ସନ୍ସରେ ମିସ୍ତ୍ରୀ ପରିବାରଙ୍କ ସର୍ବାଧିକ ମାଲିକାନା ରହିଛି । ସାଇରସ୍‌ଙ୍କ ବାପା ପାଲୋନଜୀ ମିସ୍ତ୍ରୀ ଟାଟା ଗ୍ରୁପ ନିର୍ଦ୍ଦେଶକ ପଦବୀରୁ ଅବସର ନେଲାପରେ ସାଇରସ୍‌ ତାଙ୍କ ସ୍ଥାନରେ ଯୋଗ ଦେଇଥିଲେ । ସାଇରସ୍‌ଙ୍କ ଦକ୍ଷତା ଉପରେ ରତନ ଟାଟାଙ୍କ ଅତ୍ୟନ୍ତ ବିଶ୍ୱାସ ଥିଲା । ମାତ୍ର ଟାଟା ଗ୍ରୁପର କାର୍ଯ୍ୟଧାରା ସହିତ ସାଇରସ୍‌ଙ୍କ ପରିଚାଳନା ଭିତରେ ଆକାଶ ପାତାଳ ଫରକ ଅନୁଭୂତ ହୋଇଥିଲା । ଫଳରେ ମାତ୍ର ୪ ବର୍ଷ ଅଧ୍ୟକ୍ଷ ରହି ସାଇରସ୍‌ ଇସ୍ତଫା ଦେଲେ । କୁହାଯାଏ, କମ୍ପାନୀ ପରିଚାଳନାକୁ କେନ୍ଦ୍ର କରି ରତନ ଟାଟା ଓ ସାଇରସ୍‌ ମିସ୍ତ୍ରୀଙ୍କ ଭିତରେ ବିବାଦର ସୂତ୍ରପାତ ଘଟିଲା ।