ଦଇବ ସାଧିଲା ଦାଉ, ଚାଲିଗଲା ତିନି ଜୀବନ

ଦୁଇ ମହିଳା ସାମାନ୍ୟ ଆହତ ହୋଇଥିଲା ବେଳେ ରଂଜିତା ସାଂଘାତିକ ଆହତ ହୋଇଥିଲେ…..

ବୈଶିଙ୍ଗା: ପ୍ରକୃତିର କ୍ରୁରତା ନିକଟରେ ହାରମାନିଛି ମଣିଷ । ଆଜି ଅପରାହ୍ଣରେ ବଜ୍ରପାତ ଘଟିବା ଫଳରେ ମୟୂରଭଞ୍ଜ ଜିଲ୍ଲାର ତିନିଜଣ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ ଶ୍ୟାମାଖୁଂଟା ବ୍ଲକ ଅଧୀନସ୍ଥ ବାହାଦୁରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଓ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ (୪୧) ଛେଳି ଚରାଇବାକୁ ଯାଇଥିଲେ । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ଘଟିଥିଲା । ଫଳରେ ଦୁହେଁ ବଜ୍ରପାତର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ।

ଗ୍ରାମବାସୀ ଉଭୟଙ୍କୁ ବାରିପଦା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ଦୁଇଜଣଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଖବର ପାଇଁ ଶ୍ୟାମାଖୁଂଟା ରାଜସ୍ୱ ନିରୀକ୍ଷକ ମୃତକଙ୍କ ପରିଜନଙ୍କୁ ଭେଟି ଅନୁକମ୍ପା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ବୈଶିଙ୍ଗା ଥାନା ଅଂଚଳର ଜଣେ ୧୮ ବର୍ଷୀୟା ଯୁବତୀ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ।

ମୃତ ଯୁବତୀ ହେଉଛନ୍ତି ଦେଓପଡ଼ା ନିବାସୀ ଜଟିଆ ସିଂଙ୍କ ଝିଅ ରଂଜିତା । ରଂଜିତା ଦୁଇଜଣ ମହିଳାଙ୍କ ସହ ବିଲରୁ ଫେରୁଥିଲା ବେଳେ ବଜ୍ରପାତ ଘଟିଥିଲା । ଦୁଇ ମହିଳା ସାମାନ୍ୟ ଆହତ ହୋଇଥିଲା ବେଳେ ରଂଜିତା ସାଂଘାତିକ ଆହତ ହୋଇଥିଲେ । ତାଙ୍କୁ ସାଙ୍ଗେସାଙ୍ଗେ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତରମାନେ ତାଙ୍କୁ ବଂଚାଇ ପାରିଲେନି ।