ନୂଆଦିଲ୍ଲୀ : ରୋଡ ସେଫଟୀ ୱାଲର୍ଡ ସିରିଜକୁ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇପଡିଛି । ଆସନ୍ତା ୧୦ରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯିବ ରୋଡ୍ ସେଫଟୀ କ୍ରିକେଟ । କାନପୁରକୁ ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ପାଇଁ ସୁଯୋଗ ମିଳିଛି । ଏହା ବ୍ୟତିତ ଦେଶର ଅନ୍ୟ ୩ଟି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । କିନ୍ତୁ ଉଦଘାଟନୀ ମ୍ୟାଚ କାନପୁରରେ ଖେଳାଯିବ । ରୋଡ ସେଫଟୀ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଭାରତ ସମେତ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମ ସାମିଲ ହେଉଛନ୍ତି । ବିଶ୍ୱ କ୍ରିକେଟର ଅନେକ ଲିଜେଣ୍ଡଙ୍କୁ ପୁଣି ପଡିଆରେ ଦେଖିବାକୁ ମିଳିବ । ଟିମ ଇଣ୍ଡିଆ ପକ୍ଷରୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସମେତ ୱେଷ୍ଟଇଣ୍ଡିଜ କ୍ରିକେଟର ଦ୍ରୁବତାରା ବ୍ରାଏନ ଲାରାଙ୍କୁ ଦେଖିବାକୁ ମିଳିବ । ତେନ୍ଦୁଲକର ଏବଂ ଲାରାଙ୍କ ବ୍ୟତିତ ଆଣ୍ଡ୍ୟୁ ସାଇମଣ୍ଡସ, ରସ ଟେଲରଙ୍କ ଭଳି ପୂର୍ବତନ ଭେଟେରାନମାନଙ୍କୁ ଦେଖିବାକୁ ମିଳିବ । ରୋଡ୍? ସେଫଟୀ ସିରିଜ ହେଉଛି ବିଶ୍ୱବାସୀଙ୍କୁ ସଡକ ସୁରକ୍ଷା ବାବଦରେ ସଚେତନ କରାଇବା ପାଇଁ ଆରମ୍ଭ କରାଯାଇଥିବା ଏକ କ୍ରିକେଟ ଲିଗ ।