କେନ୍ଦୁଝର: ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଛାତ୍ରାବାସ ଏବେ ଭୂତକୋଠି ପାଲଟିଛି । ପରଲୋକଗତ ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ଏବେ ସେଠାରେ ଭୂତ ବନ୍ଧୁବାନ୍ଧବଙ୍କୁ ଧରି ରହୁଥିବାର ଦେଖିବାକୁ ମିଳୁଛି । ବିରାଟ ବିରାଟ ଅଟ୍ଟାଳିକା ଭିତରେ କୁଆକୋଇଲି ରାବ ଶୁଣିବାକୁ ମିଳୁନି । ଶୁଭୁଛି କେବଳ ସାଇଁ ସାଇଁ ସିଁ ସିଁ । ରାଜ୍ୟ ଶାସନ ତଦାରଖ ଦାୟିତ୍ୱରେ ଥିବା ପାଣ୍ଡବଙ୍କ ଭିତରୁ ଜଣେ ଏପରି କରୁଥିବା ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏ ସଂକ୍ରାନ୍ତରେ କେନ୍ଦୁଝର ଜିଲ୍ଲାର ବିଧାୟକ ଓ ସାଂସଦମାନେ ପାଟି ଫିଟାଉ ନାହାନ୍ତି । ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ଗରିବ ଆଦିବାସୀ ପିଲାମାନଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେମାନେ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ।
ସୂଚନା ମୁତାବକ ୫ କୋଟି ଟଙ୍କା ବିନିମୟରେ କେନ୍ଦୁଝର ସମନ୍ୱିତ ଆଦିବାସୀ ଊନ୍ନୟନ ସଂସ୍ଥା ତରଫରୁ ଜିଲ୍ଲାର ତିନୋଟି ସ୍ଥାନରେ ତିନୋଟି ଆଦିବାସୀ ଛାତ୍ରାବାସ ତିଆରି କରାଯାଇଛି । ସେଥିମଧ୍ୟରୁ ପିପିଲିଆରେ ନିର୍ମିତ ଛାତ୍ରାବାସ କାର୍ଯ୍ୟକ୍ଷମ ଥିଲାବେଳେ ଘଟଗାଁ ଓ ଢେଙ୍କିକୋଟଠାରେ ପ୍ରତିଷ୍ଠିତ ଦୁଇଟି ଛାତ୍ରାବାସ ପିଲାଙ୍କ କାମରେ ଲାଗିନି । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶ ନିର୍ଦ୍ଦିଷ୍ଟ କଲେଜ ପରିଚାଳନା ମଣ୍ଡଳୀକୁ ଦାୟୀ କରିଥିଲା ବେଳେ ସଂପୃକ୍ତ କଲେଜ ଆଇଟିଡିଏ ଉପରେ ସବୁ ଦୋଷ ଲଦିଛି । ଆଇଟିଡିଏ ପକ୍ଷରୁ କଲେଜ ପରିଚାଳନା କମିଟି ହାତକୁ ଛାତ୍ରାବାସଟିର ପରିଚାଳନା ଭାର ସଂପୂର୍ଣ୍ଣ ହସ୍ତାନ୍ତର କରାଯାଉ ନଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସେଠାରେ ରଖିବା ସମ୍ଭବ ହୋଇନି ।
ଆଇଟିଡିଏ ପକ୍ଷରୁ ତିଆରି କରାଯାଇଥିବା ଛାତ୍ରାବାସ କଲେଜକୁ ହସ୍ତାନ୍ତର କରା ନଯିବା ପଛରେ ରହସ୍ୟ କ’ଣ? ଏହାର ସଠିକ୍ ଜବାବ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇପାରିବେ କାରଣ ତାଙ୍କ ଇଛା ବିନା ଓଡିଶା ମାଟିରେ ଗୁଳ୍ମ ଉଠେନି । ଓଡିଶା ଆକାଶରେ ସୂର୍ଯ୍ୟ ଉଦୟ ହୁଏନା । ଓଡିଶାରେ ପବନ ବହେନା ।