ମହାରାଜା ହେଲେ ସିନା, ମୁକୁଟକୁ ଅପେକ୍ଷା!

ମାତ୍ର ଏଥର ହାତଗଣତି ବିଶିଷ୍ଟ ଲୋକଙ୍କୁ ବୈଠକରେ ଯୋଗ ଦେବାକୁ ଡକାଯାଇଥିଲା…..

ନୂଆଦିଲ୍ଲୀ: ମହାରାଜା ହେବାପରେ ଚାର୍ଲସ ଦେଶବାସୀଙ୍କୁ ପ୍ରଥମ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ମା’ ଏଲିଜାବେଥଙ୍କୁ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ । ଚାର୍ଲସ କହିଲେ, ‘ମା, ଆପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ୧୯୪୭ରେ ମୋର ମା’ ତାଙ୍କର ୨୧ତମ ଜନ୍ମଦିନରେ ଶପଥ କରି କହିଥିଲେ ଯେ ବଂଚିଥିବା ପର୍ଯ୍ୟନ୍ତ ସେ ନିଷ୍ଠାପର ଭାବେ ଜନତାଙ୍କ ସେବା କରିବେ । ଆଜି ମୁଁ ତାଙ୍କର ସେହି ଶପଥକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ପଣ କରୁଛି ।

ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଚାର୍ଲସଙ୍କୁ ଔପଚାରିକ ଭାବେ ବ୍ରିଟେନର ମହାରାଜା କରାଯାଇଛି । ରାଜପରମ୍ପରା ଅନୁଯାୟୀ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଦେଇ ତାଙ୍କୁ ଯିବାକୁ ହେବ । ଯୁବରାଜ ଚାର୍ଲସ ମହାରାଜା ହେଲେ ସତ; ମାତ୍ର ରାଜାଭିଷେକ ପାଇଁ ଆହୁରି କିଛିମାସ ଅପେକ୍ଷା କରିବାକୁ ପଡ଼ିବ । ଏଇଟା ହିଁ ପରମ୍ପରା । ତାଙ୍କ ପୂର୍ବରୁ ରାଣୀ ଏଲିଜାବେଥଙ୍କୁ ମଧ୍ୟ ୧୬ ମାସ ଅପେକ୍ଷା କରିବାକୁ ପଡ଼ିଥିଲା । ୧୯୫୨ ଫେବୃଆରୀରେ ତାଙ୍କ ବାପାଙ୍କର ନିଧନ ହେଲା; ୧୯୫୩ ଜୁନରେ ମହାରାଣୀ ଏଲିଜାବେଥଙ୍କର ଅଭିଷେକ କରାଯାଇଥିଲା ।

ଏକଦା ବ୍ରିଟେନ୍‌ ସାରାବିଶ୍ୱକୁ ଶାସନ କରିବାର ଦକ୍ଷତା ଦେଖାଇଥିଲା । ବ୍ରିଟେନ ଭଳି ଅନ୍ୟ କୌଣସି ଦେଶ ଏଭଳି ଦୁଃସାହସ କରିନାହିଁ । ଉଗ୍ର ଆଧୁନିକତାର ଉଦାହରଣ ରୂପେ ବ୍ରିଟେନବାସୀଙ୍କୁ ଗଣା ଯାଉଥିଲେ ମଧ୍ୟ ବଂଶ ପରମ୍ପରା ଓ ପ୍ରଥାକୁ ସେହି ଜାତି ସର୍ବଦା ଅଗ୍ରାଧିକାର ଦେଇଆସିଛି । ଭାରତରେ ରାଜାରାଜୁଡ଼ା ଶାସନ ଚାଲିଥିଲା । ମାତ୍ର ସ୍ୱାଧୀନତା ଲାଭ ପରେ ଭାରତରେ ସାମ୍ବିଧାନିକ ନୀତିନିୟମକୁ ପ୍ରାଧାନ୍ୟ ଦିଆଯାଉଛି । ରାଜା ମହାରାଜାଙ୍କୁ ହଟାଇ ଦିଆଗଲା । ସାଧାରଣତନ୍ତ୍ରର ଗୌରବମୟ ଐତିହ୍ୟକୁ ପ୍ରତିପାଦିତ କରିବା ପାଇଁ ଆମର ମହାମାନ୍ୟ ରାଷ୍ଟ୍ରପତିଙ୍କୁ ବସାଇ ଦିଆଗଲା । ମାତ୍ର ବ୍ରିଟେନରେ ଏବେ ମଧ୍ୟ ରାଜପରମ୍ପରା ରହିଆସିଛି ।

ଯୁବରାଜ ଚାର୍ଲସଙ୍କର ଅତୀତ ବହୁ ବିବାଦରେ ପରିପୂର୍ଣ୍ଣ; ମାତ୍ର ରାଜା ଘୋଷଣା ଅବସରରେ ତାଙ୍କର କେବଳ ପ୍ରଶସ୍ତିଗାନ କରାଯାଇଥିଲା । ଚାର୍ଲସଙ୍କର ପ୍ରଥମ ପତ୍ନୀ ଯୁବରାଣୀ ଡାଏନା ମହାରାଣୀ ହେବାର ସ୍ୱପ୍ନକୁ ନେଇ ଆଖିବୁଜିଲେ । ଶନିବାର ସେଂଟ ଜେମ୍ସ ପ୍ୟାଲେସରେ ଅନୁଷ୍ଠିତ ପ୍ରିଭି କାଉନ୍‌ସିଲ ବୈଠକରେ ଚାର୍ଲସଙ୍କୁ ଔପଚାରିକ ଭାବେ ବ୍ରିଟେନର ମହାରାଜା ଘୋଷଣା କରାଗଲା । ଏବେ ତାଙ୍କୁ ରାଜା ତୃତୀୟ ଚାର୍ଲସ ଭାବେ ସମ୍ବୋଧନ କରାଯିବ ।

ବାପାଙ୍କୁ ମିଳିଥିବା ଉପାଧିକୁ ଉତ୍ତରାଧିକାରୀ ସୂତ୍ରରେ ଚାର୍ଲସ ଗ୍ରହଣ କରିଛନ୍ତି । ପରମ୍ପରାନୁସାରେ ତାଙ୍କ ପତ୍ନୀ କ୍ୟାମିଲା ହେବେ ଡଚେସ୍‌ ଅଫ୍‌ କାର୍ନବାଲ (ମହାରାଣୀ) । ପ୍ରିଭି କାଉନ୍‌ସିଲ ବୈଠକରେ ବରିଷ୍ଠ ସାଂସଦ, ବରିଷ୍ଠ ପ୍ରଶାସକ, କମନ୍‌ୱେଲ୍‌ଥ ହାଇ-କମିଶନର ଓ ଲଣ୍ଡନର ମେୟର ସାମିଲ ହୁଅନ୍ତି । ପ୍ରିଭି କାଉନ୍‌ସିଲ ବୈଠକକୁ ୭୦୦ରୁ ଅଧିକ ବିଶିଷ୍ଟ ଲୋକଙ୍କୁ ଆମନ୍ତ୍ରଣ କରାଯାଏ । ମାତ୍ର ଏଥର ହାତଗଣତି ବିଶିଷ୍ଟ ଲୋକଙ୍କୁ ବୈଠକରେ ଯୋଗ ଦେବାକୁ ଡକାଯାଇଥିଲା ।