ମୋଦୀଙ୍କୁ ତେରେଚ୍ଛା ବାଣ ମାରିଲେ ସତ୍ୟପାଲ

‘ପାଟି ବନ୍ଦ ରଖିଲେ ଉପରାଷ୍ଟ୍ରପତି କରିଦେବୁ’……

ନୂଆଦିଲ୍ଲୀ: ଶନିବାର ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ବିଜେପି ଆଡ଼କୁ ତେରେଚ୍ଛା ବାଣ ମାରିଛନ୍ତି । ପରିଣାମ ଯାହା ହେଉନା କାହିଁକି, ବାଣଟି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ରାତିରେ ଶୁଆଇ ଦେବନି । ବିଜେପିରେ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତିଆରା ବେଶି । ମୋଦୀଙ୍କ ଉପରକୁ ବାଣ ମାରିବାକୁ ବହୁ ନେତା ଡରନ୍ତି । ମାତ୍ର ନିର୍ଭୀକତାର ସହ ସମାଲୋଚନା କରିବାକୁ ପଛକୁ ହଟିନାହାନ୍ତି ସତ୍ୟପାଲ । ରାଜସ୍ଥାନର ଝୁନଝୁନ୍‌ ଜିଲ୍ଲାକୁ ଗସ୍ତରେ ଆସି ମେଘାଳୟ ରାଜ୍ୟପାଳ କହିଛନ୍ତି, ବିଜେପିରେ ଏଭଳି ବହୁ ଲୋକ ଅଛନ୍ତି, ଯେଉଁମାନେ ଆଇଟି, ଇଡି ଓ ସିବିଆଇ ଜାଲରେ ପଡ଼ିବା ଦରକାର ।

କେବଳ ବିପକ୍ଷ ନେତାଙ୍କ ଘର ଉପରେ ଚଢ଼ଉ କରିଦେଲେ ଚଳିବନି । ସମୟ ସମୟରେ ବିଜେପି ନେତାଙ୍କ ଘରଆଡେ଼ ଆଇଟି, ସିବିଆଇ ଓ ଇଡି ଟିମ୍‌ ବୁଲିଆସିବା ଯୁକ୍ତିସଙ୍ଗତ । ଉପରାଷ୍ଟ୍ରପତି ହେବାର ସବୁ ଯୋଗ୍ୟତା ଜଗଦୀପ ଧନଖଡ଼ଙ୍କ ପାଖରେ ରହିଛି । ହେଲେ ମୋତେ ମଧ୍ୟ ତାଗିଦ କରାଯାଇଥିଲା ଯେ ଯଦି ମୁଁ ମୁହଁ ବନ୍ଦ ରଖିବି; ତେବେ ମୋତେ ଉପରାଷ୍ଟ୍ରପତି କରି ଦିଆଯିବ । କିନ୍ତୁ ମୁଁ ପାଟି ଚୁପ କରି ବସିପାରିବି ନାହିଁ ବୋଲି ରୋକଠୋକ୍‌ କହିଦେଲି । ରାଜ୍ୟପାଳ କାର୍ଯ୍ୟକାଳ ସରିବା ପରେ ମୁଁ କୃଷକଙ୍କ ସହ ରହିବି ।’କେନ୍ଦ୍ର ସରକାର କୃଷକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଉପରେ ସତ୍ୟପାଲ ସନ୍ଦେହ ପ୍ରକଟ କରିଛନ୍ତି । କଂଗ୍ରେସକୁ ପୁଣି କ୍ଷମତାକୁ ନେବା ପାଇଁ ଯୁବନେତା ରାହୁଲ ଗାନ୍ଧୀଙ୍କ ଜୋରଦାର ପ୍ରୟାସକୁ ତାରିଫ କରିଛନ୍ତି ସେ ।