ବକ୍ସ ଅଫିସରେ ମୁହାଁମୁହିଁ ହେବେ ଦୁଇ ସୁପରଷ୍ଟାର

କୌତୁହଳର ବିଷୟ, ଅଜୟ ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି……

ମୁମ୍ବାଇ: ଦିୱାଲୀରେ ବକ୍ସ ଅଫିସରେ ଦୁଇ ସୁପରଷ୍ଟାର ମୁହାଁମୁହିଁ ହେବେ । ଏହି ଲଢେଇ ଅଜୟ ଦେବଗନ୍‌ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ହେବ । ଅଜୟଙ୍କ ‘ଥାଙ୍କ ଗଡ୍‌’ର ପ୍ରଥମ ଝଲକ ମୁକ୍ତିଲାଭ କରିଛି ଏବଂ ଫିଲ୍ମ ଅକ୍ଟୋବର ୨୫ ରେ ମୁକ୍ତିଲାଭ କରୁଛି । ସେହିଭଳି ଅକ୍ଷୟଙ୍କ ଫିଲ୍ମ ‘ରାମ ସେତୁ’ ଅକ୍ଟୋବର ୨୪ରେ ମୁକ୍ତିଲାଭ କରିବ । ତେବେ ଅଜୟଙ୍କ ‘ଥାଙ୍କ ଗଡ’କଥା ଯଦି କହିବା ତେବେ, ସିଦ୍ଧାର୍ଥ ମଲହୋତ୍ରା ଏବଂ ରାକୁଲ ପ୍ରୀତ ସିଂଙ୍କୁ ଏଥିରେ ମଧ୍ୟ ଦେଖିବାକୁ ମିଳିବ ।

ଏହି ଫିଲ୍ମକୁ ‘ଧମାଲ’ ଭଳି କମେଡି ଫିଲ୍ମ କରିଥିବା ଇନ୍ଦ୍ର କୁମାର ନିର୍ଦ୍ଦେଶନା ଦେଉଛନ୍ତି । କୌତୁହଳର ବିଷୟ, ଅଜୟ ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ସେପଟେ ଅକ୍ଷୟଙ୍କ ‘ରାମ ସେତୁ’କୁ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ନୁଶରତ ଭାରୁଚା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।