‘ଗଣତନ୍ତ୍ରରେ ସମସ୍ତେ ଦାସ, ରାଜ୍ୟପାଳ ବାଦ ନୁହନ୍ତି’
ସୂର୍ଯ୍ୟ ବୁଝାଇଦେଲେ ଯେ ମେଘମାଳା ସୂର୍ଯ୍ୟଙ୍କ ତେଜକୁ ଘୋଡ଼ାଇବାକୁ ସକ୍ଷମ…..
ଭୁବନେଶ୍ୱର: ଗଣତନ୍ତ୍ର ଶାସନରେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ । ଏଠାରେ କେହି ସଂପୂର୍ଣ୍ଣ ସ୍ୱାଧୀନ ନୁହନ୍ତି । ‘ପୁନଃ ମୂଷିକ ଭବ’ କାହାଣୀ ଯେ ପଢ଼ିଛି । ସେ ଗଣତନ୍ତ୍ର ଶାସନର ଅସଲ ସ୍ୱରୂପ ଚିହ୍ନିଛି । ଜଣେ ଋଷି ମାଈ ମୂଷିକଟିକୁ ପୋଷ୍ୟ କନ୍ୟା ରୂପେ ପାଳନ କଲେ । ଛୋଟ ଝିଅଟି ପ୍ରାପ୍ତ ଯୌବନରେ ପଦାର୍ପଣ କରିବା ପରେ ତା’ ପାଇଁ ଉପଯୁକ୍ତ ପାତ୍ର ଖୋଜିଲେ ଋଷି । ତାଙ୍କ ନଜରରେ ପଡ଼ିଲା ତେଜମୟ ସୂର୍ଯ୍ୟ । କନ୍ୟାର ପାଣି ଗ୍ରହଣ କରିବାକୁ ଋଷି ମହୋଦୟ ସୂର୍ଯ୍ୟଙ୍କୁ ଅନୁରୋଧ କଲେ । ସୂର୍ଯ୍ୟ ବୁଝାଇଦେଲେ ଯେ ମେଘମାଳା ସୂର୍ଯ୍ୟଙ୍କ ତେଜକୁ ଘୋଡ଼ାଇବାକୁ ସକ୍ଷମ । ତେଣୁ ମେଘର ରାଜା ଇନ୍ଦ୍ରଦେବ ହିଁ ତାଙ୍କଠାରୁ ପରାକ୍ରମଶାଳୀ ।
ତହୁଁ ଋଷି ଦେବରାଜା ଇନ୍ଦ୍ରଙ୍କ ନିକଟରେ ପହଂଚି ଆପଣା ଅଭିଳାଷ ପୂରଣ କଥା କହିଲେ । ଇନ୍ଦ୍ରଦେବ କହିଲେ ଯେ ସେ ସବୁଠାରୁ ଶକ୍ତିଶାଳୀ ନୁହନ୍ତି । ମେଘମାଳାକୁ ଅଟକାଇ ଦେବାର କ୍ଷମତା ପର୍ବତରାଜଙ୍କ ନିକଟରେ ଅଛି । ଋଷି ମହୋଦୟ ପର୍ବତରାଜଙ୍କ ଦରବାରରେ ପହଂଚି ଅଭିଳାଷ ବ୍ୟକ୍ତ କଲେ । ପର୍ବତରାଜ କହିଲେ ଯେ ସେ ଶକ୍ତିଶାଳୀ ନୁହନ୍ତି । ତାଙ୍କଠାରୁ ତୀକ୍ଷ୍ଣ ଦାନ୍ତରେ ଖୋଳି ପକାଉଥିବା ମୂଷିକରାଜ ହିଁ ପରାକ୍ରମଶାଳୀ । ବିଚରା ଋଷି ମହୋଦୟ ଆଉ କିଛି ଚିନ୍ତା ନକରି ସୁନ୍ଦରୀ କନ୍ୟାଟିକୁ ପୁଣି ମୂଷିକ ରୂପ ପ୍ରଦାନ କଲେ ଓ ମୂଷିକରାଜ ସହିତ ବିବାହ କରିଦେଲେ ।
ଭାରତୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ହେଉଛନ୍ତି ସବୁଠାରୁ କ୍ଷମତାଶାଳୀ । ମାତ୍ର ତାଙ୍କୁ ନିର୍ବାଚିତ ଭୋଟ ଦେଇ ନିର୍ବାଚିତ କରନ୍ତି ସବୁ ରାଜ୍ୟର ବିଧାୟକ ଓ ସଂସଦର ନିର୍ବାଚିତ ସାଂସଦ । ସେହିଭଳି ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳ ବା ମେଂଟର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥାନ୍ତି । ସାମ୍ବିଧାନିକ ବ୍ୟବସ୍ଥାରେ ରାଷ୍ଟ୍ରପତି ସବୁଠାରୁ ଶକ୍ତିଶାଳୀ, ମାତ୍ର ବାସ୍ତବରେ ପ୍ରଧାନମନ୍ତ୍ରୀ ହିଁ ଅମାପ କ୍ଷମତାର ଅଧିକାରୀ । କିନ୍ତୁ ଏକ ନିର୍ବାଚିତ ସରକାରଙ୍କ କ୍ଷମତା ମାତ୍ର ୫ ବର୍ଷ ପାଇଁ । ତେଣୁ ୫ ବର୍ଷ ଶେଷ ହେବା ପୂର୍ବରୁ କ୍ଷମତାସୀନ ଦଳ ବା ମେଂଟକୁ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପଡ଼ିଥାଏ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଭୋଟରମାନେ ମତଦାନ କରି ସେମାନଙ୍କ ମନପସନ୍ଦର ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି । ଗଣତନ୍ତ୍ର ଶାସନରେ ଭୋଟରମାନେ ହିଁ ପ୍ରକୃତ ଶାସକ । ମାତ୍ର ବାସ୍ତବରେ ଦେଖିଲେ, ଭୋଟରମାନେ ମଧ୍ୟ ସବୁଠାରୁ କ୍ଷମତାଶାଳୀ ନୁହନ୍ତି । ଆଜିର ଭୋଟରଙ୍କୁ ପେଟ ପାଇଁ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରିବାକୁ ପଡୁଛି । କାଳିଆ ଟଙ୍କା ଉପରେ ନିର୍ଭର କରିବାକୁ ପଡୁଛି । ରାସ୍ତାରେ ଚାଲିବା ପାଇଁ ପଥକର ଦେବାକୁ ପଡୁଛି ।
ତେଣୁ ରାଜ୍ୟପାଳ ଗଣେଶୀ ଲାଲଙ୍କ ପରାମର୍ଶ ସହିତ ବାସ୍ତବ ଜୀବନର କୌଣସି ସମ୍ପର୍କ ନାହିଁ । ବହିରେ ଆମେ ପଢ଼ିଛୁ, ମିଛ କହିବା ମହାପାପ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିରାଟ ବିରାଟ ମିଛୁଆଙ୍କ ଭିତରେ ଜଣେ ଜଣେ । ଗଣତନ୍ତ୍ର ଶାସନରେ କେହି ସ୍ୱାଧୀନ ନୁହନ୍ତି । ଖୋଦ ରାଜ୍ୟପାଳ ଗଣେଶୀ ଲାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୟାର ପାତ୍ର । ମୋଦୀଙ୍କ ଦୟାରୁ ସେ ଓଡ଼ିଶାର ରାଜ୍ୟପାଳ ହୋଇଛନ୍ତି । ଅନ୍ୟର ଦୟାକୁ ଆଶ୍ରୟ କରି ବଂଚୁଥିବା ରାଜ୍ୟପାଳ ମହୋଦୟ ପିଲାମାନଙ୍କୁ ସ୍ୱାଧୀନତାର ପାଠ ପଢ଼ାଇବା ବନ୍ଦ କରି ଅନ୍ୟର ଗୋଲାମି କରିବା ଶିଖାନ୍ତୁ ।