ବଡ଼ବିଲ ଜନତାଙ୍କୁ ନବୀନବାବୁଙ୍କ ଭେଟି ‘ଧୂଳି, ଧୂଅାଁ ଓ ଜାମ୍‌’

ଧୂଳି ଧୂସରିତ ପରିବେଶରେ ରହୁଛନ୍ତି ବଡ଼ବିଲ ଜନତା

ବଡ଼ବିଲ: ଖଣିକମ୍ପାନୀ ବ୍ୟବହାର କରୁଥିବା ରାସ୍ତାଉପରେ ଜଳସିଂଚନ ପାଇଁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ଖଣି ସଂସ୍ଥା ତାହାକୁ ପାଳନ କରୁନାହାନ୍ତି । ମାଲବୋଝେଇ ଟ୍ରକ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ କାରଣରୁ ରାସ୍ତାର ଧୂଳି ସାଧାରଣ ଲୋକଙ୍କ ଘରେ ପଶି ଦୂଷିତ ବାତାବରଣ ସୃଷ୍ଟି କରୁଛି । ରାସ୍ତା ଉପରେ ସାଧାରଣ ଜନତାଙ୍କ ଯା’ଆସ ଏକପ୍ରକାର ବନ୍ଦ ହୋଇଯାଉଛି ।
ଟ୍ରକ, ଟ୍ରଲର ଓ ଡମ୍ପର ସମେତ ଅନ୍ୟାନ୍ୟ ଭାରିଯାନ ବେପରୁଆ ଭାବେ ଚଳାଚଳ କରିବା ଫଳରେ ହାଲୁକା ଯାନ ଚଳାଚଳ ସ୍ୱାଭାବିକ ହୋଇପାରୁନି । ପିଲାପିଲିଙ୍କୁ ଧରି ରାସ୍ତାରେ ଯିବା ଅର୍ଥ ସେମାନଙ୍କ ଜୀବନକୁ ବିପଦରେ ପକାଇବା । ନାକରେ ମାସ୍କ ଲଗାଇ ଚଳପ୍ରଚଳ କଲେ ମଧ୍ୟ ବଡ଼ବିଲ ଅଂଚଳରେ ଧୂଳି ଧୂସରିତ ବାତାବରଣ ସାଧାରଣ ଜନତା, ପିଲାପିଲି ଓ ରୋଗୀଙ୍କ ଜୀବନକୁ ବିପଦରେ ପକାଉଛି । ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କଲେ ମଧ୍ୟ କୌଣସି ଅଧିକାରୀ ଖଣି ସଂସ୍ଥାର ମନମାନି ଉପରେ ବ୍ରେକ୍‌ କଷି ପାରୁନାହାନ୍ତି । ରୋଗୀଙ୍କୁ ଧରି ଡାକ୍ତରଖାନା ଅଭିମୁଖେ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ଟ୍ରକ ଓ ଭାରିଯାନଗୁଡ଼ିକ ବାଟ ଛାଡ଼ୁନାହାନ୍ତି । ସନ୍ଧ୍ୟା ହୋଇଗଲେ ଆବୁଡ଼ାଖାବୁଡା ରାସ୍ତା ଉପରେ ଚଳପ୍ରଚଳ କରିବା ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ କରିବା ।

ଦୀର୍ଘ ୧୫ କିଲୋମିଟର ବ୍ୟାପୀ ରାସ୍ତା ଉପରେ ଲୁହା ବୋଝେଇ ଟ୍ରକ୍‌, ଡମ୍ପର ଓ ଟ୍ରଲର ଭଳି ଭାରିଯାନର ଲମ୍ବା ଲାଇନ୍‌ । ମଝିରାସ୍ତାରେ ଘଂଟାଘଂଟା ଧରି ଜାମ୍‌ ରହିବା ଫଳରେ କୌଣସି କାମରେ ଯାଉଥିବା ଲୋକଟିକୁ ନାନା ହଇରାଣ ଭୋଗିବାକୁ ପଡ଼ିଥାଏ । ଲୁହା ବୋଝେଇ ଟ୍ରଲର କଡ଼ ଦେଇ ଚଳପ୍ରଚଳ କରିବା ବିପଦର ଆଶଙ୍କା ସୃଷ୍ଟି କରୁଛି ।
ବଡ଼ବିଲ ପୌର ପରିଷଦ ଅନ୍ତର୍ଗତ ୮ ନମ୍ବର ୱାର୍ଡବାସୀ ପାଲ ହଟିଂ ଦେଇ ଯାଇଥିବା ମୁଖ୍ୟ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଅଭିଯୋଗ ଥିଲା ଯେ ପ୍ରତିଦିନ ରାସ୍ତା ଉପରେ ଶତାଧିକ ଭାରିଯାନ ଯାଉଥିଲେ ମଧ୍ୟ କୌଣସି ଘରୋଇ କମ୍ପାନୀ ରାସ୍ତା ଉପରେ ପାଣି ସିଂଚନ କରୁନାହାନ୍ତି । ଫଳରେ ରାସ୍ତାର ଧୂଳି ସ୍ଥାନୀୟ ଲୋକଙ୍କ ଘରେ ପଶି ପରିବାର ଲୋକଙ୍କ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରୁଛି । ଖଣି ସଂସ୍ଥାଗୁଡ଼ିକର ‘ମେରା ରାଜ’ ନୀତି ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ଲୋକଙ୍କ ସୁସ୍ଥ ଜୀବନଯାପନ ପ୍ରତି ପୌର ପରିଷଦ ଉଚିତ ଦୃଷ୍ଟି ନଦେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନର ସୂତ୍ରପାତ ହୋଇପାରେ । ବଡ଼ବିଲ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ପୁରସ୍କାର ହେଉଛି ‘ମୋ ଧୂଳି ଯୋଜନା’ । ଏହି ଯୋଜନାରେ ବଡ଼ବିଲ ପୌର ପରିଷଦର ସବୁ ମୁଖ୍ୟ ରାସ୍ତାକଡ଼ରେ ଖଣି ସଂସ୍ଥାର ଭାରିଯାନ ରହଣି ଓ ଚଳପ୍ରଚଳକୁ ସବୁଜ ସଂକେତ ଦିଆଯାଇଛି । ଧୂଳି ଧୂସରିତ ରାସ୍ତା ଉପରେ ପାଣି ସିଂଚନ କରିବା ପାଇଁ ଖଣି ସଂସ୍ଥା ଉପରେ ଚାପ ପକାଯାଉନି । ପରିଣାମ ସ୍ୱରୂପ ବଡ଼ବିଲ ଆକାଶଟି ଧୂଳି ଧୂସରିତ ସାଙ୍ଗକୁ ବିଷାକ୍ତ ଧୂଅାଁରେ ଆଚ୍ଛାଦିତ ରହୁଛି । ସାଧାରଣ ପରିବାରକୁ ଦୂଷିତ ପରିବେଶରେ ରହିବାକୁ ବାଧ୍ୟ କରାଯାଉଛି । ଅବଶ୍ୟ ନବୀନବାବୁଙ୍କ ‘ମୋ ଧୂଳି ଯୋଜନା’ରେ ପୀଡ଼ିତ ଲୋକମାନେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସୁଫଳ ପାଇପାରିବେ ।