ଅମର ଆତ୍ମା ଶାନ୍ତି ଲାଭ କରୁ ରାଜୁ ଭୈୟା

ଅଟୋ ଡ୍ରାଇଭରରୁ ରଙ୍ଗମଂଚ ଓ ଦୂରଦର୍ଶନ

ଚଳଚ୍ଚିତ୍ର ‘ତେଜାବ’ରୁ ସ୍ୱଚ୍ଛ ଭାରତ ଅଭିଯାନ

ଜୀବନରେ ଏମିତି କାମ କର କି ଯମରାଜ ଆସିଲେ କୁହ ଆଜ୍ଞା ଆପଣ ମଇଁଷି ଉପରେ ବସନ୍ତୁ, ମୁଁ ପାଦରେ ଚାଲିବି । ଆପଣ ଅତ୍ୟନ୍ତ ଭଦ୍ରଲୋକ ।’ ଏ ସଂଳାପ ଆମର ପ୍ରିୟ ରାଜୁ ଭୈୟାଙ୍କର ।
ଜୀବନ ରଙ୍ଗମଂଚରୁ ଚାଲିଗଲେ ଗଜୋଧର ଭୈୟା । ସାମ୍ନାରେ ଦର୍ଶକ ବସିଛନ୍ତି । କଳାପରଦା ଉଠିଲା । ରୋଗ ଦାଉରେ ପଡ଼ି ରାଜୁ ଶ୍ରୀବାସ୍ତବ ହସ୍ପିଟାଲରେ ମୃତ୍ୟୁ ସହିତ ଲଢୁଥିଲେ । ଅନ୍ତିମ ଖବର ପହଂଚିଲା ।
ବୁଧବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀ ଏମ୍ସରେ ରାଜୁଙ୍କର ପରଲୋକ ଘଟିଲା । ୫୮ ବର୍ଷୀୟ ରାଜୁ ଅଗଷ୍ଟ ୧୦ ତାରିଖ ସକାଳେ ବ୍ୟାୟାମ କରୁଥିଲା ବେଳେ ହୃଦଘାତର ଶିକାର ହେଲେ । ତାଙ୍କୁ ଏମ୍ସକୁ ନିଆଗଲା, ପରୀକ୍ଷାରୁ ଜଣାପଡ଼ିଲା, ତାଙ୍କ ହୃତ୍‌ପିଣ୍ଡର ଗୋଟିଏ ଭାଗରେ କିଛି ଅଟକି ରହିଛି । ବିଗତ ୪୨ ଦିନ ଭିତରେ ସେ ସୁସ୍ଥ ହେଉଥିବାର ଖବର ସାମ୍ନାକୁ ଆସିଲା । ପ୍ରଶଂସକମାନେ ଆଗ୍ରହର ସହ ଅପେକ୍ଷା କରିଥିଲେ ଯେ ସେମାନଙ୍କର ପ୍ରିୟ ରାଜୁ ପୁଣି ରଙ୍ଗମଂଚକୁ ଫେରିବେ । ହେଲେ ସମସ୍ତଙ୍କୁ ଚମକାଇ ଦେଲା ଭଳି ଖବର ଆସି ପହଂଚିଲା-ରାଜୁ ଚାଲିଗଲା ।

ହିରୋ ହେବାର ସ୍ୱପ୍ନ ନେଇ ରାଜୁ ୧୯୮୨ରେ ମୁମ୍ବାଇ ପହଂଚିଲେ । ମାତ୍ର ଜୀବନର ଗତିପଥକୁ କିଏ ବଦଳାଇ ପାରିଛି । ସ୍ୱପ୍ନର ନାୟକ ରାଜୁ ବାସ୍ତବ ଜୀବନରେ ଅଟୋ ଚାଳକ ହେଲେ । ମାତ୍ର ସ୍ୱପ୍ନ ଦେଖିବା ବନ୍ଦ କରି ନଥିଲେ । ଅଟୋରେ ବସୁଥିବା ଯାତ୍ରୀଙ୍କୁ କୌତୁକିଆ କଥା କହି ହସାଉଥିଲେ । ଯାତ୍ରୀମାନେ କେତେବେଳେ ପହଂଚି ଯାଉଥିଲେ ଗନ୍ତବ୍ୟ ସ୍ଥଳରେ, ଜାଣି ପାରୁ ନଥିଲେ । ଏମିତି ଯାତ୍ରୀଙ୍କୁ ହସାଉ ହସାଉ ମଂଚରେ ଠିଆ ହୋଇ ଦର୍ଶକଙ୍କୁ ହସାଇବାର ସୁଯୋଗ ପାଇଲେ । ଅଭିନୟ ବାବଦ ପାରିଶ୍ରମିକ ପାଇଲେ ମାତ୍ର ୫୦ ଟଙ୍କା । କ୍ରମାଗତ ଭାବେ ମଂଚରେ ଅଭିନୟ କରିବାର ସୁଯୋଗ ପାଇଲେ ।
ରାଜୁ ଅନେକ ସମୟରେ ଅମିତାଭଙ୍କୁ ନକଲ କରୁଥିଲେ । ଅମିତାଭଙ୍କ ଭଳି ଦିଶିବା ପାଇଁ ଚେଷ୍ଟା କରୁଥିଲେ । ନକଲି ଅମିତାଭ ଅଭିନୟ କରୁକରୁ ୧୯୮୮ରେ ତାଙ୍କ ହାତକୁ ଆସିଲା ଚଳଚ୍ଚିତ୍ର ‘ତେଜାବ’ । ଚଳଚ୍ଚିତ୍ରଟିର ନାୟକ ଥିଲେ ଅନିଲ କପୁର । ହାସ୍ୟ ଅଭିନେତା ଜନି ଲିଭରଙ୍କ ସହ ରାଜୁ ଅଭିନୟ କଲେ ।

୧୯୯୪ରେ ଦୂରଦର୍ଶନରେ ‘ଟି ଟାଇମ୍‌’ କାର୍ଯ୍ୟକ୍ରମରେ ରାଜୁଙ୍କୁ ଦେଖିବାକୁ ମିଳିଲା । ତା’ପରେ ‘ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର’ ଚାଲେଞ୍ଜରେ ରାଜୁଙ୍କୁ ତୃତୀୟ ସ୍ଥାନ ମିଳିଲା । ବାସ୍‌ ଏହିଠାରୁ ସେ ସ୍ୱତନ୍ତ୍ର ପରିଚୟ ପାଇଲେ । ‘କମେଡି କା ମହାମୁକାବିଲା’, ‘କମେଡି ସର୍କସ’, ‘ଦେଖ୍‌ ଭାଇ ଦେଖ୍‌’, ‘ଲାଫ୍‌ ଇଣ୍ଡିଆ ଲାଫ୍‌’, ‘କମେଡି ଲାଇଫ୍‌ ୱିଥ୍‌ କପିଲ’, ‘ଦି କପିଲ ଶର୍ମା ଶୋ’ ଓ ‘ଗ୍ୟାଙ୍ଗ୍‌ସ ଅଫ୍‌ ହଂସିପୁର’ ଭଳି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରିଚାଲିଲେ ।
କାନପୁର ନିବାସୀ ରାଜୁ ୧୯୬୩ ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନାମ ରଖାଗଲା ସତ୍ୟପ୍ରକାଶ ଶ୍ରୀବାସ୍ତବ । ତାଙ୍କ ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ସରକାରୀ କର୍ମଚାରୀ ଥିଲେ । ରମେଶ କବିତା ଲେଖୁଥିଲେ । ବହୁ କବିତା ସମ୍ମିଳନୀକୁ ଯାଉଥିଲେ । ଶବ୍ଦକୁ ଶବ୍ଦ ମିଳାଇ କବିତା ଲେଖିବାର କଳାଟି ତାଙ୍କୁ ବଂଶାନୁକ୍ରମିକ ଭାବେ ମିଳିଥିଲା । ରାଜୁଙ୍କର ପାଂଚଟି ଭାଇ ଓ ଗୋଟିଏ ଭଉଣୀ ଥିଲେ । ୧୯୯୩ରେ ରାଜୁ ବିବାହ କଲେ । ତାଙ୍କର ପତ୍ନୀ ଶିଖା ଓ ଦୁଇଟି ସନ୍ତାନ ଅନ୍ତରା ଓ ଆୟୁଷ୍ମାନ୍‌ ।
ତାଙ୍କର ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ତେଜାବ’ । ପ୍ରାୟ ୧୭ଟି ଚଳଚ୍ଚିତ୍ରରେ ରାଜୁ ଅଭିନୟ କରିଛନ୍ତି । ଯେଉଁ ସମୟରେ ଲୋକମାନେ ହଲ୍‌କୁ ଯାଉଥିଲେ ହିରୋକୁ ଦେଖିବା ପାଇଁ । ସେହି ସମୟରେ ରାଜୁ ବ୍ୟଙ୍ଗ କଥା କହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ।

 

୨୦୧୪ରେ ରାଜୁଙ୍କୁ ସମାଜବାଦୀ ପାର୍ଟି ଟିକେଟ୍‌ ଦେଉଥିଲା ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ । ମାତ୍ର ଦଳର ଲୋକାଲ ୟୁନିଟ୍‌ ତାଙ୍କୁ ସମର୍ଥନ କରୁ ନଥିବାର ଅଭିଯୋଗ ଆଣି ରାଜୁ ଲୋକସଭା ଟିକେଟ୍‌ ଫେରାଇ ଦେଇଥିଲେ । ତହୁଁ ରାଜୁ ସେହି ବର୍ଷ ବିଜେପିରେ ଯୋଗ ଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ଭାଗ ନେବାକୁ ପ୍ରସ୍ତାବ ଦେଇଥିଲେ ।
ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ସେ ଚେତା ଫେରିପାଇ ନର୍ସଙ୍କୁ ପଚାରିଥିଲେ ରାଜୁ, ମୁଁ ଏଠାକୁ ଆସିଲି କେମିତି? ଏ କଥା ପଚାରିବାର ୧୫ ଦିନ ପରେ ଅର୍ଥାତ୍‌ ଆଜି ସେ ପରଲୋକରେ । ହସାଉ ହସାଉ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ରାଜୁ ଭାଇ । ‘ଈଶ୍ୱରଙ୍କ ଦରବାରରେ ଆପଣ ଶାନ୍ତିରେ ରୁହନ୍ତୁ ।’