ତେହେରାନ୍: ଇରାନର ତେହେରାନରୁ ଉଡ଼ାଣ ଆରମ୍ଭ କରିଥିବା ଗୋଟିଏ ବିମାନ ବୋମା ଗୁଜବର ଶିକାର ହୋଇ ଭାରତ, ପାକିସ୍ତାନ ଓ ଚୀନ୍ ଆକାଶରେ ଦୀର୍ଘ ୬ ଘଂଟା ଧରି ଚକ୍କର କାଟିବା ପରେ ଅବଶେଷରେ ଚୀନ୍ର ଗୁଆଙ୍ଗଝୁରେ ଅବତରଣ କରିଛି ।
ସୂଚନା ମୁତାବକ ତେହେରାନ୍ରୁ ଉଡ଼ାଣ ଆରମ୍ଭ କରିଥିବା ଡବ୍ଲ୍ୟୁ୫୮୧ ବିମାନଟି ଚୀନର ଗୁଆଙ୍ଗଝୁରେ ସୁରକ୍ଷିତ ସହକାରେ ଅବତରଣ କରିଛି । କିନ୍ତୁ ଏହି ଗୋଟିଏ ବିମାନଟିର ଉଡ଼ାଣ ଭାରତ, ପାକିସ୍ତାନ ଓ ଚୀନକୁ ଚିନ୍ତାରେ ପକାଇ ଦେଇଥିଲା । ବିମାନରେ ବୋମା ଖଞ୍ଜାଯାଇଥିବା ଗୁଜବର ପରିଣାମ ଭାରତର ବାୟୁସେନାକୁ ମଧ୍ୟ ପ୍ରଭାବିତ କରିଥିଲା । ବିମାନ ଅବତରଣ ପାଇଁ ଭାରତ ସରକାର ଅନୁମତି ନଦେବାରୁ ଇରାନ୍ ବିମାନଟି ଭାରତ ଆକାଶରେ ଦୀର୍ଘ ୪୦ ମିନିଟ୍ ଘୁରି ବୁଲିଥିଲା ।
ସଂପୂର୍ଣ୍ଣ ଘଟଣାଟି ଆରମ୍ଭ ହୋଇଥିଲା ସୋମବାର ସକାଳୁ । ତେହେରାନ୍ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ୩୪୦ ଆସନ ବିଶିଷ୍ଟ ଡବ୍ଲ୍ୟୁ୫୮୧ ବିମାନଟି ଚୀନର ଗୁଆଙ୍ଗଝୁ ଅଭିମୁଖେ ଯାଉଥିଲା । ମାତ୍ର ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ପାଇଲଟ୍ଙ୍କୁ ସୂଚନା ମିଳିଥିଲା ଯେ ବିମାନରେ ବୋମା ରଖାଯାଇଛି । ସୂଚନା ପାଇବା ମାତ୍ରେ ପାଇଲଟ୍ଙ୍କର ବୁଦ୍ଧି ହଜିଗଲା । କ’ଣ କରିବେ ଚିନ୍ତା କରୁଥିବା ଭିତରେ ବିମାନଟି ଭାରତ ଆକାଶରେ ପ୍ରବେଶ କରି ସାରିଥିଲା । ସେତେବେଳକୁ ସମୟ ସକାଳ ୯ଟା ୨୦ ମିନିଟ୍ । ଇରାନ୍ ବିମାନ ପାଇଲଟ୍ ଦିଲ୍ଲୀ ବିମାନଘାଟି ଏୟାର୍ ଟ୍ରାଫିକ୍ ସହ ଯୋଗାଯୋଗ ସ୍ଥାପନ କରି ଅବତରଣ ପାଇଁ ଅନୁମତି ଲୋଡ଼ିଲେ ।
ଦିଲ୍ଲୀ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ କକ୍ଷ ସାମାନ୍ୟ ଡେରି ନକରି ସୁରକ୍ଷା ସଂସ୍ଥା ଓ ବାୟୁସେନା ସହ ବିଚାର ବିମର୍ଷ କଲା । ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ବାୟୁସେନା ବିମାନଟିର ଜରୁରୀ ଅବତରଣ ପାଇଁ ଅନୁମତି ନଦେବାକୁ ଟ୍ରାଫିକ୍ ନିୟନ୍ତ୍ରଣ କକ୍ଷକୁ ପରାମର୍ଶ ଦେଲା । କେବଳ ସେତିକି ନୁହେଁ, ବାୟୁସେନାର ଯୋଧପୁର ଘାଟିରୁ ଲଢୁଆ ବିମାନ ସୁଖୋଇ ଧାଇଁଗଲା ଇରାନ୍ ବିମାନ ନିକଟକୁ । ସୁଖୋଇ ବିମାନଟି ଇରାନ୍ ବିମାନଟିର ପାଖେପାଖେ ଜଗି ରହି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ପାଇଁ ବାଟ ଛାଡ଼ିଲାନି ।
ଭାରତ ପକ୍ଷରୁ ଇରାନ୍ ବିମାନର ପାଇଲଟ୍ଙ୍କୁ ବିକଳ୍ପ ପ୍ରସ୍ତାବ ଦିଆଯାଇଥିଲା । ବିମାନଟିକୁ ଜୟପୁର ନଚେତ୍ ଚଣ୍ଡିଗଡ଼ରେ ଅବତରଣ କରିବା ପାଇଁ ଭାରତ ପରାମର୍ଶ ଦେଇଥିଲା । ମାତ୍ର ପାଇଲଟ୍ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ । ଇରାନ୍ ପାଇଲଟ୍ ଦିଲ୍ଲୀ ବନ୍ଦରରେ ଅବତରଣ ପାଇଁ ଜିଦ୍ କରୁଥିଲେ । ଫଳରେ ସକାଳ ୯ଟା ୨୦ରୁ ୧୦ଟା ୦୫ ମିନିଟ୍ ଯାଏ ବିମାନଟି ଦିଲ୍ଲୀ ଆକାଶରେ ଚକ୍କର କାଟିଥିଲା ।
ଅବଶେଷରେ ଇରାନ୍ ବିମାନଟି ଚୀନ୍ ଅଭିମୁଖେ ଉଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲା । ଦିଲ୍ଲୀରେ ଏହି ନାଟକ ଚାଲିଥିଲା ବେଳେ ପାକିସ୍ତାନ ସରକାର ଚିନ୍ତାରେ ପଡ଼ି ଯାଇଥିଲେ । କାଳେ ବିମାନଟି ପାକିସ୍ତାନ ଆକାଶରେ ପ୍ରବେଶ କରିବ, ସେଇ ଆଶଙ୍କାରେ ଆଗୁଆ ଆଲର୍ଟ କରି ଇରାନ୍ ବିମାନଟିକୁ ଅନ୍ୟ ଆଡେ଼ ବାଟ କାଟି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ପାକ୍ ସରକାର ।