୫ଜି ମାୟାରେ ପଡ଼ି କାନ୍ଦିବେ ସାଧାରଣ ଉପଭୋକ୍ତା

ଗୋଦରା କୋଡେ଼ ଯେତେ ମାଡେ଼ ସେତେ…..

ନୂଆଦିଲ୍ଲୀ: ଦେଶରେ ୫ଜି ମୂଳଦୁଆ ପଡ଼ିସାରିଛି । ଆଉ ମାତ୍ର ଦିନ କେଇଟା ପରେ ଟେଲିକମ୍‌ ଦୁନିଆରେ ୫ଜି ନେଟ୍‌ୱାର୍କ ଚହଳ ପକାଇବ । ମାତ୍ର ଏହି ନେଟୱାର୍କ ଉପଭୋକ୍ତାଙ୍କୁ ଯେତିକି ଖୁସି ଦେବ; ତାହାଠାରୁ ଯଥେଷ୍ଟ ପରିମାଣର ଯନ୍ତ୍ରଣା ଦେବ ବୋଲି ନେଟୱାର୍କ ବିଶେଷଜ୍ଞ କହିଛନ୍ତି । ୫ଜି ନେଟୱାର୍କ ଖୁବଶୀଘ୍ର ଡାଟା ଖାଇଯିବା ସହ ବ୍ୟାଟେରୀରୁ ଚାର୍ଜ ଖତମ କରିଦେବ । କେନ୍ଦ୍ର ସରକାର ଓ ୫ଜି ନେଟୱାର୍କ ସେବା ପ୍ରଦାନକାରୀ ଟେଲିକମ୍‌ ସଂସ୍ଥା କେବଳ ନେଟୱାର୍କର ବିରାଟ ଫାଇଦା ବିଷୟ କହୁଛନ୍ତି ।

କେହି ନେଟୱାର୍କର କ୍ଷତି ସଂପର୍କରେ ପାଟି ଫିଟାଉ ନାହାନ୍ତି । ଉପଭୋକ୍ତାଙ୍କୁ ଅନ୍ଧାରରେ ରଖି ଉଭୟ ସରକାର ଓ ଟେଲିସେବା ପ୍ରଦାନକାରୀ ସଂସ୍ଥା ଆର୍ଥିକ ଲାଭ ପ୍ରତି ଦୃଷ୍ଟି ରଖିଛନ୍ତି । ୫ଜି ସେବା ଉପଭୋଗ କରୁଥିବା କିଛି ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ମୋବାଇଲରୁ ଖୁବଶୀଘ୍ର ଡାଟା ସରିଯାଉଛି । ତା’ ସହିତ ବ୍ୟାଟେରୀରୁ ଜଲଦି ଚାଲିଯାଉଛି ଚାର୍ଜ । ୫ଜି ନେଟୱାର୍କର ବେଗ ଓ ଇଂଟରନେଟ୍‌ ଯୋଗାଯୋଗ ତୀବ୍ରତାକୁ ମଧ୍ୟ ଉପଭୋକ୍ତାମାନେ ସ୍ୱୀକାର କରିଛନ୍ତି ।

ବିଶେଷଜ୍ଞମାନେ କହିଛନ୍ତି, ଅଧିକାଂଶ ଉପଭୋକ୍ତା ୟୁଟୁବରେ ଭିଡିଓ ଦେଖୁଛନ୍ତି । ତା’ ଫଳରେ ଭିଡିଓର ଗୁଣାତ୍ମକ ମାନକୁ ଆଧାର କରି ଡାଟା ଖର୍ଚ୍ଚ ହୁଏ । ୫ଜି ନେଟୱାର୍କ ଉଚ୍ଚ ଗୁଣାତ୍ମକ ଦୃଷ୍ଟିରୁ ଭିଡିଓ ପ୍ରସାରଣ ଉଚ୍ଚକୋଟୀର ହେଉଛି । ତେଣୁ ଜଲଦି ଜଲଦି ଡାଟା ସରିବା ସ୍ୱାଭାବିକ । ୫ଜିରେ କେବଳ ଫୋନ ବ୍ୟାଟେରୀ ଓ ଡାଟା ବ୍ୟବହାର ଚିନ୍ତା କରିବାକୁ ପଡ଼ିବନି; ତା’ ସହିତ ଡାଟା ରିଚାର୍ଜ ପ୍ଲାନ୍‌ କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ।

୫ଜି ରିଚାର୍ଜ ଦର ଅନ୍ୟ ତୁଳନାରେ ଅଧିକ ରହିବ ନିଶ୍ଚିତ । ଅବଶ୍ୟ ୫ଜି ନେଟୱାର୍କ ବ୍ୟବହାର ପାଇଁ କୌଣସି ଟେଲିକମ୍‌ ସେବା ସଂସ୍ଥା ଉପଭୋକ୍ତାଙ୍କ ଉପରେ ସିଧାସଳଖ ଚାପ ପକାଇ ପାରିବେନି । ମାତ୍ର ୫ଜି ନେଟୱାର୍କ ପାଇଁ ୫ଜି ମୋବାଇଲ୍‌ କିଣିବାକୁ ପଡ଼ିପାରେ । ପୁରୁଣା ମୋବାଇଲ ଫୋନର ବଜାର ଦର ଏକଦମ୍‌ କମିଯିବାର ସମ୍ଭାବନା ରହିଛି । ୫ଜି ଉପଭୋକ୍ତା ବୃଦ୍ଧି ପାଇବା ଫଳରେ ୪ଜି ଫୋନ୍‌ ମୂଲ୍ୟ ଯଥେଷ୍ଟ କମିଯିବ ।