ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାଢ଼ି ବିଷୟ ଉପରେ ଜାଣିବା

ସେ ହଠାତ୍‌ କାହିଁକି ଦାଢ଼ି ବଢ଼ାଉଛନ୍ତି, ଏହାର କାରଣ ଖୋଜା ଚାଲିଛି….

ଦାଢ଼ି ବଢ଼ାଇବା ଏକ ବ୍ୟକ୍ତିଗତ ବ୍ୟାପାର। ତେଣୁ, କେହି ଦାଢ଼ି ବଢ଼ାଇବାର କାରଣ ଖୋଜିବା ସାଧାରଣ ଭାବେ ଅନାବଶ୍ୟକ। ତେବେ, ଦାଢ଼ି ବଢ଼ାଉଥିବା ବ୍ୟକ୍ତି ଜଣକ ନେତୃସ୍ଥାନୀୟ ହେଲେ କୌତୂହଳତାବଶତଃ ଆଲୋଚନା ଆରମ୍ଭ ହୋଇଯାଏ। ନରେନ୍ଦ୍ର ମୋଦୀ ଶ୍ମଶ୍ରୁଧାରୀ ପ୍ରଥମ ପ୍ରଧାନ ମନ୍ତ୍ରୀ ନୁହନ୍ତି। ତାଙ୍କ ପୂର୍ବରୁ ଚନ୍ଦ୍ରଶେଖର, ଇନ୍ଦ୍ର କୁମାର ଗୁଜରାଲ ଏବ˚ ଡ. ମନମୋହନ ସି˚ହ ଦାଢ଼ି ରଖିଥିଲେ। ଡ. ସି˚ହ ଧାର୍ମିକ କାରଣରୁ। ଅନ୍ୟ ଦୁଇ ଜଣ ସ୍ବ-ଇଚ୍ଛା ଅନୁଯାୟୀ। ମୋଦୀ ଏହି ଦ୍ବିତୀୟ ପର୍ଯ୍ୟାୟରେ ଆସିବେ। ତେବେ, ମୋଦୀ ୨୦୨୦ରେ ହଠାତ୍‌ ଦାଢ଼ି ବଢ଼ାଇବା ଆରମ୍ଭ କରିଥିଲେ ଏବ˚ ବଢ଼ାଇଚାଲିଛନ୍ତି। ତେଣୁ, ଏହାକୁ ନେଇ କୌତୂହଳ ସୃଷ୍ଟି ହୋଇଛି। ସେ ହଠାତ୍‌ କାହିଁକି ଦାଢ଼ି ବଢ଼ାଉଛନ୍ତି, ଏହାର କାରଣ ଖୋଜା ଚାଲିଛି।

ମୋଦୀ ବିଭିନ୍ନ ଅବତାରରେ ଫଟୋ ଉଠାଇବାକୁ ଭଲପାଆନ୍ତି। ‘ନାଟକବାଜି’ ତାଙ୍କର ପ୍ରିୟ। ଏହା ଆମେ କହୁନାହୁଁ। ଏକଦା ଏକ ସାକ୍ଷାତ୍‌କାର ଅବସରରେ ସେ ଜଣେ ସାମ୍ବାଦିକଙ୍କୁ ଏହା କହିଥିଲେ। ବିଦ୍ୟାଳୟରେ ପଢ଼ୁଥିବା ବେଳେ ‘ନାଟକ’ ତାଙ୍କର ପ୍ରିୟ ବିଷୟ ଥିଲା। ଛାଡ଼ନ୍ତୁ ସେହି କଥା! ଏବେ ଆସନ୍ତୁ ତାଙ୍କ ନୂଆ ଅବତାର ବିଷୟକୁ। ‘ଷ୍ଟାଇଲ୍‌’ କରିବା ଏତେ ସହଜ ନୁହେଁ। ଏଥି ପାଇଁ ବେଶ୍‌ ଖର୍ଚ୍ଚ କରିବାକୁ ପଡେ଼, ସମୟ ଦେବାକୁ ହୁଏ। ପୁଣି, ଜଣଙ୍କର ବୟସ ଯଦି ସତୁରି ଉପରେ ତାଙ୍କୁ ଅଧିକ ସମୟ ଦେବାକୁ ହେବ ଏବ˚ ଶ୍ରମ କରିବାକୁ ପଡ଼ିବ। ମୋଦୀଙ୍କ ଦାଢ଼ି ଇତସ୍ତତଃ ଭାବେ ବଢ଼ିନାହିଁ। ତାହାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ, ଯଥେଷ୍ଟ ସମୟ ଦେଇ, ଅଭିଜ୍ଞ ନାପିତଙ୍କ ଦ୍ବାରା ସଜାଯାଉଛି। ଅର୍ଥାତ୍‌, ମୋଦୀ ନିଜକୁ ଏକ ନୂଆ ରୂପ ଦେବାରେଲାଗିଛନ୍ତି।

ତାଙ୍କ ନୂଆ ଅବତାରକୁ ନେଇ ବ୍ୟଙ୍ଗ ଚିତ୍ରକରମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ମଧ୍ୟରେ ନାନା କଳ୍ପନା-ଜଳ୍ପନା ଚାଲିଛି। ଅନେକ କହୁଛନ୍ତି- ସେ ‘ସନ୍ନ୍ୟାସୀ ସଦୃଶ’ ମଣିଷ। ତେଣୁ, ଏ ଭଳି ଅବତାର। ତେବେ, ମୋ’ର ବିଶ୍ବାସ ହେଉନାହିଁ। ‘ସନ୍ନ୍ୟାସୀ’ଙ୍କର ବିଶେଷତ୍ବ ହେଲା, ଯିଏ ପାର୍ଥିବ କାମନା-ଲାଳସା, ଭୋଗ-ବିଳାସଠାରୁ ଦୂରେଇରହନ୍ତି। ଆଉ ଆମ ମୋଦୀ ବିଳାସ-ବ୍ୟସନପ୍ରିୟ ମଣିଷ। ମୂଲ୍ୟବାନ ପୋଷାକ, କଲମ, ସନ୍‌-ଗ୍ଲାସ୍‌, କାର‌୍‌, ବିମାନ ଆଦିରେ ତାଙ୍କର ସଉକ। ଏପରିକି ମୁହଁରେ ଗୁଡ଼ାଉଥିବା ‘ଗାମୁଛା’ ମଧ୍ୟ ସାଧାରଣ ଲୋକ ପକ୍ଷରେ କିଣିବା ସ˚ଭବ ନୁହେଁ। ଏକଦା ଅଭିଜ୍ଞ ସାମ୍ବାଦିକ(!) ଅକ୍ଷୟ କୁମାରଙ୍କୁ ଏକ ସାକ୍ଷାତ୍‌କାର ଅବସରରେ କହିଥିଲେ- ଦାରିଦ୍ରର ଭାବନା, ତାଙ୍କ ଭିତରେ ‘ହୀନମନ୍ୟତା’ ସୃଷ୍ଟି କରେ। ତେଣୁ, ସେ ସର୍ବଦା ଇସ୍ତ୍ରି-ଦିଆ, ଚକଚକିଆ ପୋଷାକ ପିନ୍ଧନ୍ତି। ଅର୍ଥାତ୍‌, ସେ ଯଦି ସନ୍ନ୍ୟାସୀ ହେବେ ବି ଫାଇଭ୍‌-ଷ୍ଟାର‌୍‌ ସନ୍ନ୍ୟାସୀ; ଯାହି-ତାହି ନୁହେଁ!

ତାଙ୍କ ନୂଆ ଅବତାରକୁ କିଏ ଶିବାଜୀଙ୍କ ସହ ତୁଳନା କରୁଛି ତ କିଏ ରବୀନ୍ଦ୍ରନାଥ ଠାକୁରଙ୍କ ସହ। ତେବେ, ମୋତେ ଲାଗୁଛି ସେ ଏକ ବ୍ରାଣ୍ତ୍‌-ଇମେଜ୍‌ ତିଆରିକରୁଛନ୍ତି, ଯାହାକୁ ଲୋକେ ଅନେକ ଦିନ ଧରି ମନେରଖିବେ। ଆଉ ଏହି ବ୍ରାଣ୍ତ୍‌-ଇମେଜ୍‌ ତିଆରିକଲା ବେଳେ ସେ ବୋଧହୁଏ ଭୁଲିଯାଉଛନ୍ତି, ଇତିହାସ କର୍ମକୁ ମନେପକାଏ। କର୍ମ ମନେପଡ଼ିଲେ ଚେହେରା ମନେପଡ଼େ। ଗାନ୍ଧୀଙ୍କ ମହାନ୍‌ ଆଦର୍ଶ ତାଙ୍କ ଚେହେରାକୁ ମନେପକାଉଛି। ମନେପଡ଼ୁଛି- ତାଙ୍କ ଧୋତି, ଚଷମା ଓ ବାଡ଼ି। କେଉଁ ମହାନତା ପାଇଁ ମୋଦୀଙ୍କୁ ଇତିହାସ ମନେପକାଇବ ଏ ପର୍ଯ୍ୟନ୍ତ ମୁଁ ବୁଝିପାରୁନାହିଁ!

‘ବିଅର୍ଡ‌୍‌ସ ଆଣ୍ତ୍‌ ମେନ୍‌: ଦ ରିଭିଲି˚ ହିଷ୍ଟ୍ରି ଅଫ୍‌ ଫେସିଆଲ୍‌ ହେଆର‌୍‌’ର ଲେଖକ କ୍ରିସ୍‌ଟୋଫର‌୍‌ ଓଲଡ୍‌ଷ୍ଟୋନ୍‌-ମୁର‌୍‌ ଲେଖିଛନ୍ତି- ମଣିଷ ଅନ୍ବେଷଣ ପାଇଁ ଦାଢ଼ି ବଢ଼ାଇପାରେ; ସ˚କଟରୁ ଉଦ୍ଧାର ପାଇବା ପାଇଁ ମଧ୍ୟ ବଢ଼ାଇପାରେ। ପ୍ରତିବାଦ ପାଇଁ ବଢ଼ାଇପାରେ; ଅନ୍ୟମାନଙ୍କଠାରୁ ନିଆରା ଦିଶିବା ପାଇଁ ମଧ୍ୟ ବଢ଼ାଇପାରେ। ଅର୍ଥାତ୍‌, ଏକାଧିକ କାରଣରୁ ଜଣେ ଦାଢ଼ି ବଢ଼ାଇପାରେ। ଆଗକୁ ପଶ୍ଚିମ ବଙ୍ଗର ବିଧାନସଭା ନିର୍ବାଚନ। ବଙ୍ଗୀୟମାନଙ୍କ ପାଇଁ ରବୀନ୍ଦ୍ରନାଥ ଅନେକ କିଛି। ମୋଦୀଙ୍କ ଏହି ନୂଆ ଅବତାରରେ ବଙ୍ଗୀୟମାନେ, ତାଙ୍କଠାରେ ‘ରବୀନ୍ଦ୍ରନାଥ’ଙ୍କୁ ଦେଖିବା ବା କିଛି ଅସମ୍ଭବ ନୁହେଁ! ଏହା ବି ଏକ ସ˚ଭାବ୍ୟ କାରଣ ହୋଇପାରେ।