କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ହେଉଛି ଆଗାମୀ ଭବିଷ୍ୟତ ପାଇଁ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏହା ହେଉଛି ଏକ ବହୁମୁଖୀ ଉପକରଣ । ଭାରତ ସରକାର ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ୍ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱାର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ । ଏହି କ୍ରେଡିଟ୍ ଫ୍ରେମୱାର୍କ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରେଡିଟ୍ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ବିକାଶ, ସ୍କୁଲ, ଉଚ୍ଚ ଶିକ୍ଷାନୁଷ୍ଠାନ ସହ ଧନ୍ଦାମୂଳକ ଶିକ୍ଷା ଏବଂ ଅଭିଜ୍ଞତା ଆଧାରିତ ପାଠପଢ଼ା ମଧ୍ୟରେ ଏକତ୍ରିକରଣ କରାଯାଇ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାକୁ ମୁଖ୍ୟ ସ୍ରୋତକୁ ଆଣିବାରେ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ଗେମ୍ ଚେଞ୍ଜର ହେବ । ଅଧାରୁ ପାଠପଢା ଛାଡି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ସହ ଯୋଡ଼ିବାରେ ସାହାଯ୍ୟ କରିବ । ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ ଅନୁଷ୍ଠାନ ଏବଂ କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସ୍କିଲି, ରି-ସ୍କିଲିଂ, ଅପ ସ୍କିଲିଂ, ସ୍ୱୀକୃତି ଏବଂ ମୂଲ୍ୟାଙ୍କନରେ ଅନ୍ତର୍ଭୃକ୍ତ କରିବା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ସହାୟକ ହେବ । ପୂର୍ବରୁ ଏ ନେଇ ରାଜ୍ୟ ସରକାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହ ପୂର୍ବରୁ ଅନେକ ଥର ଚର୍ଚ୍ଚା ଆଲୋଚନା ହୋଇଛି । ଶିକ୍ଷା, ଦକ୍ଷତା ବିକାଶ ଏବଂ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍କାର ଆଣିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ସଚିବ ଓ ଦକ୍ଷତା ବିକାଶ, ଉଦ୍ୟମିତା ବିଭାଗର ସଚିବ ଉପସ୍ଥିତ ଥିଲେ ।