ମୁରାଦାବାଦ: ଆଜି ଅପରାହ୍ଣ ସାଢେ଼ ଚାରିଟାରେ ମୁରାଦାବାଦର କଟଘର ଅଂଚଳ ଦେଇ ଯାଇଥିବା ଗ୍ୟାସ୍ପାଇପ୍ ଲାଇନ୍ରେ ନିଅାଁ ଲାଗି ଯାଇଥିଲା ଯାହାକୁ ଲିଭାଇବା ପାଇଁ ପ୍ରାୟ ତିନି ଘଂଟା ସମୟ ଲାଗିଥିଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ବହୁ ପରିଶ୍ରମ କରିବା ପରେ ମଧ୍ୟ ନିଅାଁକୁ ନିୟନ୍ତ୍ରଣ କରି ପାରିଲେନି ।
ଖବର ପାଇ ଟରୋଂଟୋ ଗ୍ୟାସ୍ କମ୍ପାନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ । ପାଇପ୍ ଲାଇନ୍ରେ ଗ୍ୟାସ୍ ମହଜୁଦ ଥିବା ସମୟରେ ନିଅାଁକୁ ଦମନ କରିବା କଷ୍ଟକର ଥିଲା । ତେବେ କମ୍ପାନୀର ଲୋକମାନେ ଗ୍ୟାସ୍ ଯୋଗାଣ ବନ୍ଦ କରିବା ପରେ ନିଅାଁ ଶାନ୍ତ ପଡ଼ିଥିଲା ।
ସୂଚନା ମୁତାବକ କଟଘର ଅନ୍ତର୍ଗତ ଜାହିଦ ନଗରସ୍ଥିତ ୧୦ ନମ୍ବର ଗଳିରେ ଥିବା ଗ୍ୟାସ୍ ପାଇପ୍ରେ ଲିକେଜ୍ ସୃଷ୍ଟି ହୋଇଥିଲା । ପରେପରେ ସେଥିରେ ନିଅାଁ ଲାଗି ଯାଇଥିଲା । ନିଅାଁ ବାହାରିବା କ୍ଷଣି ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା । ସଂପୃକ୍ତ ଅଂଚଳରୁ ଲୋକମାନଙ୍କୁ ଖାଲି କରାଯିବା ପରେ ନିଅାଁ ଲିଭାଇବା କାମ ଆଗକୁ ବଢ଼ିଥିଲା । ଉକ୍ତ ଗ୍ୟାସ୍ ପାଇପ୍ ଦେଇ ପିଏନ୍ଜି ଗ୍ୟାସ୍ ଯୋଗାଣ ଜାରି ରହିଥିଲା । ମହାନଗର ବାସିନ୍ଦାଙ୍କୁ ଗ୍ୟାସ୍ ପାଇପ୍ ଜରିଆରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି ।