ଭୁବନେଶ୍ୱର: ଆସୁଛି କାର୍ତିକ ପୂର୍ଣ୍ଣିମା । ସାଧାରଣତଃ କାଳୀପୂଜା ପରେପରେ ସାରା ରାଜ୍ୟରେ ଶୀତ ଅନୁଭୂତ ହୋଇଛି । ମାତ୍ର ଅଧିକ ମାତ୍ରାରେ ପ୍ରଭାବଶାଳୀ ହୋଇନି । ପାଣିପାଗ କାର୍ଯ୍ୟାଳୟ ସୂଚନା ମୁତାବକ ନଭେମ୍ବର ୮ ତାରିଖଠାରୁ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ହାଡ଼ଥରା ଶୀତ ।
ସାରା ଭାରତ କଥା କହିଲେ, ଅକ୍ଟୋବର ମାସ ଚାଲିଯିବା ପରେ ଜଳବାୟୁ ସ୍ଥିତି ବଦଳିଯିବ । ପଞ୍ଜାବ, ହରିଆଣା, ଦିଲ୍ଲୀ, ୟୁପି, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା ଓ ତେଲେଙ୍ଗାନାରେ ତାପମାତ୍ରା କମିବାକୁ ଲାଗିବ । ଦିନ ଓ ରାତିର ତାପମାତ୍ରା ଭିତରେ ୧୧ରୁ ୧୭ ଡିଗ୍ରୀ ବ୍ୟବଧାନ ରହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି, ଉତର ଭାରତ, ଦକ୍ଷିଣ ଭାରତ ଓ ମଧ୍ୟ ଭାରତରେ ଏକ ସମୟରେ ଶୀତ ଲହର ଖେଳିଯିବ । ବିଶେଷ କରି ହିମାଳୟ ଉପର ଦେଇ ଆସୁଥିବା କାଲୁଆ ପବନ ଅଧା ଭାରତକୁ କବଳିତ କରିବ । ନଭେମ୍ବର ୬ ତାରିଖରୁ ଅଧା ଭାରତ ଦିନରେ ଥରିବ । ଲୋକମାନେ ଘରୁ ପଦାକୁ ଗୋଡ଼ କାଢ଼ିବା ପୂର୍ବରୁ ଶୀତ ପୋଷାକ ପିନ୍ଧିବାକୁ ବାଧ୍ୟ ହେବେ ।
ଦିନରେ ଆକାଶ ପରିଷ୍କାର ରହିବ; ସକାଳେ ଓ ସନ୍ଧ୍ୟାରେ ଜାଡ଼ ପଡ଼ିବ । ମଧ୍ୟାହ୍ନରେ ତାପମାତ୍ରା ୩୦ରୁ ୩୫ ଡିଗ୍ରୀ ଭିତରେ ରହିବ । ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ଉତର-ପୂର୍ବ ରାଜ୍ୟଗୁଡ଼ିର ପାଗ ଶୁଖିଲା ରହିବ । ଆସନ୍ତା ସପ୍ରାହରୁ ତାପମାତ୍ରା କମିବ ।
ପାଣିପାଗ ବିଜ୍ଞାନୀ କହନ୍ତି, ମୌସୁମୀ ସହିତ ଶୀତର କୌଣସି ସଂପର୍କ ନାହିଁ । ମୌସୁମୀ କଥା କହିଲେ, ଚଳିତ ବର୍ଷ ମୌସୁମୀ ସମୟରେ ଯେତିକି ବର୍ଷା ହେବାର ଆଶଙ୍କା କରାଯାଉଥିଲା । ତା’ଠାରୁ ୬୫% ଅଧିକ ବର୍ଷା ହୋଇଥିଲେ ମଧ୍ୟ ଏ ଯାଏ ଶୀତ ପ୍ରଭାବ ସେତେ ଜମିନାହିଁ । ନଭେମ୍ବରରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବାର ପୂର୍ବାନୁମାନ କରାଯାଇଛି ।