ମହାଠକ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ସଫା

ବିଚାରପତିଙ୍କୁ ଜଣାଇଥିଲେ ଯେ ମହକିଲ ନିରବ ମୋଦିଙ୍କ ମାନସିକ ସ୍ଥିତି ଭଲ ନାହିଁ….

ଲଣ୍ଡନ: ପଳାତକ ଘୋଷିତ ମହାଠକ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା କ୍ରମେ ଫିଟିବାକୁ ଯାଉଛି । ପ୍ରତର୍ପଣ ରୋକିବା ପାଇଁ ଆଗତ ପିଟିସନ୍‌ ବ୍ରିଟେନ୍‌ ହାଇକୋର୍ଟରେ ଖାରଜ ହୋଇଯାଇଛି । କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ନିରବ ମୋଦିଙ୍କ ପ୍ରତ୍ୟର୍ପଣକୁ କୌଣସି ସ୍ଥିତିରେ ଅନ୍ୟାୟପୂର୍ଣ୍ଣ କି ଦମନକାରୀ କୁହାଯାଇପାରିବ ନାହିଁ । ଭାରତର ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ସାଧାରଣ ଲୋକଙ୍କ ଧନକୁ ଋଣ ଆକାରରେ ନେଇ ବ୍ୟାଙ୍କକୁ ପଇଠ ନକରି ବ୍ରିଟେନ୍‌ରେ ଶରଣ ନେବା ଠିକ୍‌ ହୋଇନାହିଁ ।

ନିରବ ମୋଦିଙ୍କୁ ଫେରିପାଇବା ପାଇଁ ଭାରତ ବେଶ କିଛିବର୍ଷ ଧରି କସରତ ଜାରି ରଖିଛି । କୌଣସି ପରିସ୍ଥିତିରେ ଭାରତକୁ ନପଠାଇବା ପାଇଁ ମୋଦିଙ୍କ ଓକିଲ ଆପଣା ସାଧ୍ୟମତେ ଚେଷ୍ଟା ଚଳାଇଛନ୍ତି । ନିରବଙ୍କ ପିଟିସନକୁ ଯୁକ୍ତିସଙ୍ଗତ କରିବା ପାଇଁ ତାଙ୍କ ଓକିଲ ବ୍ରିଟେନ୍‌ ହାଇକୋର୍ଟରେ ହାଜର ହୋଇ ବିଚାରପତିଙ୍କୁ ଜଣାଇଥିଲେ ଯେ ମହକିଲ ନିରବ ମୋଦିଙ୍କ ମାନସିକ ସ୍ଥିତି ଭଲ ନାହିଁ ।

ଭାରତର ଜେଲ ପରିବେଶ ଅସ୍ୱାସ୍ଥ୍ୟକର ଥିବାରୁ ସେଠାକୁ ଗଲେ ତାଙ୍କ ମହକିଲ ଯେକୌଣସି ମୁହୁର୍ତରେ ଆତ୍ମହତ୍ୟା କରିବା ଅସମ୍ଭବ ନୁହେଁ । ମାତ୍ର ସବୁ ଶୁଣିବା ପରେ ହାଇକୋର୍ଟ ଭାରତ-ବ୍ରିଟେନ୍‌ ପ୍ରତ୍ୟର୍ପଣ ବୁଝାମଣାକୁ ସମ୍ମାନ କରିବା ଜରୁରୀ କହି ପିଟିସନ୍‌କୁ ଖାରଜ କରିଛନ୍ତି ।