ମୋଦୀଙ୍କ ରାଜ୍ୟରେ ଦଳିତ ଖାଉଛନ୍ତି ମାଡ଼ଗାଳି

ଗୁଜରାଟ ଉପରକୁ ଚହଟ ଚିକ୍କଣ, ଭିତର ଅଙ୍ଗାର…..

ଗାନ୍ଧୀନଗର: ଗୁଜରାଟର ଉନା ଅଂଚଳରେ ଦଳିତ ପରିବାରଙ୍କ ଉପରେ ଉଚ୍ଚବର୍ଣ୍ଣର ଲୋକଙ୍କ ଅତ୍ୟାଚାର ପୂର୍ବଭଳି ଜାରି ରହିଛି । ସ୍ୱାଧୀନତାର ୭୫ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ ଗୁଜରାଟରେ ଦଳିତଙ୍କ ପ୍ରତି ନିର୍ଯାତନା ସଂପୂର୍ଣ୍ଣ ବନ୍ଦ ନହେବା ଅତ୍ୟନ୍ତ ପରିତାପର ବିଷୟ । ଗୁଜରାଟର ଜଣେ ପଛୁଆ ଓ ଲଢୁଆ ବ୍ୟକ୍ତି ଏବେ ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ । ମାତ୍ର ଉନା ଅଂଚଳଟି କଂଗ୍ରେସର ଗଡ଼ ହୋଇଥିବାରୁ ସେଠାରେ ବସବାସ କରୁଥିବା ଦଳିତ ପରିବାର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କରୁଣା ଦୃଷ୍ଟି ପଡୁନାହିଁ ।

ସ୍ୱାଧୀନତା ପରଠାରୁ ଆଜି ଯାଏ ଯେତୋଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ତା’ଭିତରୁ ବିଜେପି ମାତ୍ର ଥରୁଟିଏ ଉକ୍ତ ଅଂଚଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି । ଆଉ ସବୁଥର କଂଗ୍ରେସ ବିଜୟୀ ହୋଇଛି । ସବର୍ଣ୍ଣ ଲୋକଙ୍କ ଅତ୍ୟାଚାର ଫଳରେ ଉନା ଅଂଚଳରେ ଦଳିତ ଲୋକମାନେ ଆଉ ମଲା ଗୋରୁଗାଈ ଓ ମଇଁଷି କଟାକଟି କରୁନାହାନ୍ତି କି ଚମଡ଼ା ଉତାରି ସେଥିରୁ ବାଜା ତିଆରି କରି ପରିବାର ଗୁଜୁରାଣ କରୁନାହାନ୍ତି । ଫଳରେ ସେଠାକାର ଇଲାକାରେ ମଲା ଗୋରୁଗାଈ ଓ ମଇଁଷି ପଡ଼ି ରହିବା ଫଳରେ ପ୍ରବଳ ଦୁର୍ଗନ୍ଧ ହେଉଛି । ମଲା ଗୋରୁଗାଈ ଓ ମଇଁଷି ହଟାଇବା ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉନି ।

ମାତ୍ର କଥା କଥାକେ ସେ ଅଂଚଳରେ ଦଳିତ ପରିବାରକୁ ସବର୍ଣ୍ଣ ଲୋକଙ୍କ ମାଡ଼ଗାଳି ଖାଇବାକୁ ପଡୁଛି । ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ଗୋଟିଏ ଘଟଣା ଜଣାଇବା ଉଚିତ ମନେକରୁଛି । ୨୦୧୬ ଜୁଲାଇ ୧୧ ତାରିଖରେ ତଥାକଥିତ କିଛି ଗୋରକ୍ଷକ ଉନା ଅନ୍ତର୍ଗତ ମୋଟା ସମାଧିୟାଲା ଗ୍ରାମରେ ମଲା ଗୋରୁଙ୍କ ଚମଡ଼ା ଉତାରୁଥିବା ୭ ଜଣ ଦଳିତ ଲୋକଙ୍କୁ ଭୀଷଣ ମାଡ଼ ମାରିଲେ । ଗାଡ଼ି ପଛରେ ସେମାନଙ୍କୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଥାନା ଯାଏ ନେଲେ ।

ଥାନା ନିକଟରେ ରୁଣ୍ଡ ହୋଇଥିବା ଲୋକମାନେ ଦଳିତ ଲୋକଙ୍କୁ ମନଭରି ପିଟିଲେ । ସଂପୃକ୍ତ ଘଟଣାର ଭିଡିଓ ଭାଇରାଲ୍‌ ହେଲା । ଆନ୍ଦୋଳନ ହେଲା । ବଡ଼ବଡ଼ ନେତାମାନେ ଗାଁକୁ ଯାଇ ପୀଡ଼ିତ ପରିବାରକୁ ଭେଟିଲେ । ୪୩ ଜଣ ଅଭିଯୁକ୍ତ ବନ୍ଧା ହୋଇ ଜେଲ ଗଲେ । ୩୫ ଜଣ ଅଭିଯୁକ୍ତ ଜାମିନ ବଳରେ ଜେଲରୁ ମୁକୁଳିଲେ । ୨୦୧୮ ଏପ୍ରିଲ ୨୫ ତାରିଖ ସନ୍ଧ୍ୟା ସମୟରେ ଜାମିନରେ ଥିବା ଅଭିଯୁକ୍ତମାନେ ପୁଣି ଦୁଇଜଣ ଦଳିତ ଲୋକଙ୍କୁ ପ୍ରବଳ ମାଡ଼ ମାରିଲେ । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୁଣି ଜେଲ ପଠାଇଲା ।

୨୦୨୨ ଜୁଲାଇ ୨୫ ତାରିଖରେ ହାଇକୋର୍ଟ ଚାରିଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ଜେଲରୁ ମୁକ୍ତ କଲେ । ଦୁଇଜଣ ଅଭିଯୁକ୍ତ ପୀଡ଼ିତ ଦଳିତ ଲୋକଙ୍କ ପାଖରେ ପହଂଚି ମାମଲା ଦଫାରଫା ପାଇଁ ବାଧ୍ୟ ବାଧକତା କରିବା ସହିତ ଜାତିସୂଚକ ଗାଳିଫଜିତ କଲେ । ପୀଡ଼ିତ ଲୋକମାନେ ପୁଣି ଥାନାରେ ପହଂଚି ଅଭିଯୋଗ କରିବାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ । ନଭେମ୍ବର ୧୪ ତାରିଖରେ ଦୁଇ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି ।

ସମୟର ଚକ ଗଡୁଛି ତା’ ସହିତ ଘଟଣା ଚକ୍ର ବି ଗଡ଼ିଚାଲିଛି ହେଲେ ଦଳିତଙ୍କ ଉପରୁ ମାଡ଼ଗାଳି ବନ୍ଦ ହେଉନି । ବାରମ୍ବାର ସେମାନଙ୍କୁ ମାଡ଼ ଖାଇବାକୁ ପଡୁଛି । ଦଳିତ ପରିବାରକୁ ପୁଲିସ ସୁରକ୍ଷା ବଳୟରେ ରହିବାକୁ ପଡୁଛି । ଗୁଜରାଟ ପୁଲିସର ଚାରିଜଣ ଯବାନ ଦଳିତ ପରିବାରକୁ ୨୪ ଘଂଟା ପାଇଁ ସୁରକ୍ଷା ଦେଇଆସୁଛନ୍ତି । ମାତ୍ର ନିର୍ବାଚନ ମାହୋଲ ଥିବାରୁ ଚାରିଜଣ ଯବାନଙ୍କ ଭିତରୁ ଦୁଇଜଣଙ୍କୁ ନିର୍ବାଚନ ଡ୍ୟୁଟିରେ ଲଗାଇ ଦିଆଯାଇଛି ।