ଏମିତି ସୀମାନ୍ତ: ଘର କବାଟ ଖୋଲିଲେ ବିଦେଶ

ଦୁଇଟି ଦେଶର ସୀମାରେଖା ଗ୍ରାମର ଘରଦ୍ୱାର…..

ନୂଆଦିଲ୍ଲୀ: ଘର କବାଟ ଖୋଲି ବାହାରକୁ ପାଦ ରଖିବା ମାତ୍ରେ ଆପଣ ବିଦେଶ ମାଟିରେ ପାଦ ରଖିବେ । ଏପରି ଏକ ସୀମାନ୍ତ ଅଂଚଳର ଲୋକମାନେ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରୁଥିଲା ବେଳେ ଭାରତ ସହିତ ବିବାଦ କରୁଛନ୍ତି ପାକିସ୍ତାନ ଓ ଚୀନ । ଆମେ ଆପଣଙ୍କୁ ନେଇଯାଉଛୁ ବେଲିଜିୟମ ଓ ନେଦରଲାଣ୍ଡ ସୀମାସ୍ଥିତ ବାର୍ଲେ ଗ୍ରାମକୁ । ଉକ୍ତ ଗ୍ରାମ ମଧ୍ୟ ଦେଇ ଯାଇଛି ଦୁଇଟି ଦେଶର ସୀମାରେଖା । ଗାଁର କେତୋଟି ରାସ୍ତାକୁ ଦୁଇଭାଗ କରିଛି ସୀମାରେଖା ।

କୌଣସି ଗ୍ରାମବାସୀଙ୍କ ଘରକୁ ଦୁଇଭାଗ କରିଛି ସୀମାରେଖା । ଦୁଇଟି ଦେଶର ସୀମାରେଖା ସଂପୃକ୍ତ ଗ୍ରାମକୁ ଦୁଇଭାଗ କରିଛି ସିନା । କିନ୍ତୁ ଗ୍ରାମବାସୀଙ୍କ ମନକୁ ଦୁଇଭାଗ କରିପାରିନି । ଗୋଟିଏ ପରିବାରର ସବୁ ଲୋକମାନେ ଦୁଇଟି ଦେଶର ନାଗରିକ ଭଳି ଜୀବନ ଯାପନ କରୁଛନ୍ତି । ମାତ୍ର ଦୁଇଟି ଦେଶର ସରକାରଙ୍କ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ବାର୍ଲେ ଗ୍ରାମର ଯେଉଁ ପାଖଟି ବେଲଜିୟମ ଭିତରେ ଅଛି । ତାହା ବାର୍ଲେ ହର୍ଟୋଙ୍ଗ ନାମରେ ନାମିତ । ପୁଣି ନେଦରଲାଣ୍ଡ ଅନ୍ତର୍ଭୁକ୍ତ ଇଲାକାଟି ବାର୍ଲେ-ନସାଉ ନାମରେ ଖ୍ୟାତ ।

ଉଭୟ ଦେଶର ସରକାର ଆପୋଷ ବୁଝାମଣା କରି ଉକ୍ତ ଗ୍ରାମକୁ ପରିଚାଳନା କରନ୍ତି । ଦୁଇଟି ଦେଶର ସୀମାରେଖା ଗ୍ରାମର ଘରଦ୍ୱାର, କୋଠାବାଡ଼ି, ଦୋକାନବଜାର, ଅଫିସକୁ ଦୁଇଭାଗ କରିଦେଇଛି । ତଥାପି ସେଠାରେ ଲୋକଙ୍କ ଭିତରେ ବିବାଦ ପରିମାଣ ବହୁତ କମ୍‌ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉକ୍ତ ଗ୍ରାମରେ ‘ସାମ୍ନା ଦରଜା ନୀତି’ କାର୍ଯ୍ୟକାରୀ କରାଯାଇଛି ।

ଏହି ନୀତି ମୁତାବକ ଯେଉଁ ଘରର ମୁଖ୍ୟ ଦରଜା ଯୋଉ ଦେଶ ଆଡ଼କୁ ରହିଛି, ସେହି ଘରଟିର ପରିଚୟ ଉକ୍ତ ଦେଶକୁ ଧାରଣ କରିବ । ଉକ୍ତ ଗ୍ରାମର ଆନ୍ତର୍ଜାତିକ ସୀମାରେଖା ନିକଟରେ ଦୁଇଟି ଦେଶର ଜାତୀୟ ପତାକା ଉଡୁଛି ।