ଦେଶରୁ ପଳାୟନ କରୁଥିବା ନାଗରିକଙ୍କୁ ଅଟକାଉଛି ଚୀନ

ୟୁନ୍ନାନ ସୀମାନ୍ତରେ ପ୍ରାୟ ୩୦୦୦ ମାଇଲ ଲମ୍ବର ତାରବାଡ଼ ଲଗାଇ ଦିଆଯାଇଛି….

ବେଜିଂ: କରୋନା ଭୟରେ ଦେଶରୁ ପଳାୟନ କରୁଥିବା ଲୋକଙ୍କୁ ଅଟକାଇବା ପାଇଁ ଚୀନ୍‌ ସରକାର ସୀମାନ୍ତରେ କଂଟାଯୁକ୍ତ ଲୁହା ତାରବାଡ଼ ଲଗାଇଛନ୍ତି । କରୋନା ପରିସ୍ଥିତି ଅତ୍ୟନ୍ତ ଦୟନୀୟ । ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଜାଗା ନାହିଁ । ମଶାଣି ବାହାରେ କାରଗୁଡ଼ିକର ଲମ୍ବା ଲାଇନ । ଏଭଳି ଦାରୁଣ ସ୍ଥିତିକୁ ଦେଖି ଲୋକମାନେ ଜୀବନ ବିକଳରେ ଦେଶରୁ ପଳାୟନ ଆରମ୍ଭ କରିଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ୟୁନ୍ନାନ ରାଜ୍ୟ ସୀମାନ୍ତକୁ ଲାଗିରହିଛି ତିନୋଟି ଦେଶ ।

ଜିରୋ କୋଭିଡ୍‌ ପଲିସି ଲାଗୁ ହେବାପରେ ସୀମା ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରି ଦିଆଯାଇଛି । ଚୀନର ଯେଉଁ ଅଂଶ ମ୍ୟାଁମାରକୁ ଛୁଇଁଛି, ସେହି ଅଂଚଳରେ କ୍ୟାମେରା, ଆଲାର୍ମ, ମୋସନ୍‌ ସେନ୍‌ସର ଓ ବିଦ୍ୟୁତ୍‌ ସୁପରିବାହୀ ତାରବାଡ଼ ଲଗାଯାଇଛି । ଦେଶଭିତରୁ ଜଣେ ନାଗରିକ ଯେପରି ବିଦେଶକୁ ପଳାୟନ କରିବାର ସୁଯୋଗ ନପାଆନ୍ତି, ସେଥିପ୍ରତି କଡ଼ା ଦୃଷ୍ଟି ରଖିବାକୁ ସୀମାନ୍ତରେ ପହରା ଦେଉଥିବା ଯବାନମାନଙ୍କୁ ଚେତାବନୀ ଦିଆଯାଇଛି ।

ଚୀନର ଦକ୍ଷିଣ ସୀମାକୁ ଲାଗିରହିଛି ଲାଓସ୍‌, ଭିଏତନାମ ଓ ମ୍ୟାଁମାର । ୨୦୨୦ କରୋନା ସଂକ୍ରମଣ ସମୟରେ ଚୀନ୍‌ ସରକାର ଉକ୍ତ ସୀମାନ୍ତରେ ବିଦ୍ୟୁତ ସୁପରିବାହୀ ତାରବାଡ଼ ଲଗାଇଥିଲେ । ଏବେ ସେହି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ୟୁନ୍ନାନ ସୀମାନ୍ତରେ ପ୍ରାୟ ୩୦୦୦ ମାଇଲ ଲମ୍ବର ତାରବାଡ଼ ଲଗାଇ ଦିଆଯାଇଛି । ଭିଏତନାମକୁ ଲାଗି ରହିଥିବା ସୀମାନ୍ତ ଉପରେ ଚୀନ ତୀକ୍ଷ୍ଣ ଦୃଷ୍ଟି ରଖିଛି ।

କାଳେ କୌଣସି ନାଗରିକ ମାଟିତଳେ ସୁଡ଼ଙ୍ଗ କରି ପଳାଇଯିବେ, ସେଥିପାଇଁ ମାଟିତଳେ ମଧ୍ୟ ଲେଜର ନିୟନ୍ତ୍ରିତ ତାରବାଡ଼ ବ୍ୟବସ୍ଥା କରାଯାଇଛି । କୌଣସି ପରିସ୍ଥିତିରେ ଜଣେ ନାଗରିକଙ୍କୁ ଦେଶ ବାହାରକୁ ଛାଡ଼ିବାକୁ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ପ୍ରସ୍ତୁତ ନୁହନ୍ତି ।