କଏଦୀଙ୍କୁ ଲଙ୍ଗଳା କରାଯିବା ମାନବାଧିକାର ଉଲ୍ଲଙ୍ଘନ!

ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ; ବିଚାରପତିଙ୍କ ଆଦେଶରେ….

ନୂଆଦିଲ୍ଲୀ: ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ; ବିଚାରପତିଙ୍କ ଆଦେଶରେ ବିଚାର ବିଭାଗୀୟ ହାଜତ ଅବା ପୁଲିସ ହାଜତକୁ ପଠାଯିବା ସ୍ୱାଭାବିକ ଘଟଣା । ବିଚାରାଧୀନ କଏଦୀଙ୍କୁ ଜେଲ ଭିତରକୁ ନେବା ପୂର୍ବରୁ ତଲାସି ଆଳରେ ଲଙ୍ଗଳା କରିବା ଓ ମାଡ଼ ମାରିବା ଜେଲ ପ୍ରଶାସନର ଏକଚାଟିଆ ଅଧିକାର? ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଅପରାଧି ଭାବେ ସମ୍ବୋଧନ କରିବା ଦୋଷାବହ । ଏଭଳି ସ୍ତରରେ ଜଣେ ବିଚାରାଧୀନ ଅଭିଯୁକ୍ତଙ୍କୁ ଜେଲରେ କାର୍ଯ୍ୟରତ କର୍ମଚାରୀମାନେ ଲଙ୍ଗଳା କରିବା ନାଗରିକଙ୍କୁ ଦିଆଯାଇଥିବା ମୌଳିକ ଅଧିକାର ପ୍ରତି ଅବମାନନା ନୁହେଁ କି?
ଜେଲରେ ଅବସ୍ଥାନ କରୁଥିବା ସବୁ କଏଦୀଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉନି । ଚିଟ୍‌ଫଣ୍ଡ୍‌ ଠକଙ୍କ ପ୍ରତି ଜେଲ କର୍ମଚାରୀଙ୍କ ବ୍ୟବହାର ଟିକେ ଅଲଗା । ସିସୋର ସଂସ୍ଥାର ପ୍ରଶାନ୍ତ ଦାସ, ଅର୍ଥତତ୍ୱ ସଂସ୍ଥାର ପ୍ରଦୀପ ସେଠୀଙ୍କ ଭଳି ଅନ୍ୟାନ୍ୟ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟମାନେ ସରକାରଙ୍କ ଗେହ୍ଲାପୁଅ ହୋଇଥିବାରୁ ସେମାନଙ୍କୁ ଜେଲ କର୍ମଚାରୀମାନେ ବେଶ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ସ୍ପେଶାଲ ଜଳଖିଆ, ସ୍ପେଶାଲ ଚା’ ଓ ସ୍ପେଶାଲ ସେବା ଯୋଗାଇ ଦେଉଛନ୍ତି ।
ଜେଲରେ ରହୁଥିବା ଅଭିଯୁକ୍ତ ବ୍ୟବସାୟୀ, ରାଜନେତା, ପ୍ରଶାସକ, ଧାର୍ମିକ ନେତା, ମନ୍ତ୍ରୀ, ତନ୍ତ୍ରୀ, ଯନ୍ତ୍ରୀଙ୍କ ପ୍ରତି ଜେଲ କର୍ମଚାରୀଙ୍କ ଅନୁକମ୍ପା ଟିକେ ଅଡୁଆ ଲାଗୁଛି । ଆଇନ ସମସ୍ତଙ୍କ ପ୍ରତି ସମାନ କୁହାଯାଉ ଥିଲାବେଳେ ଏ ପ୍ରକାର ବ୍ୟତିକ୍ରମ ପ୍ରତି ମାନବାଧିକାର ସଂଗଠନ ଦୃଷ୍ଟି ଦେବେ କି?