ଗ୍ରାମବାସୀଙ୍କ ମାଡ଼ରେ ପୁଲିସ ଲହୁଲୁହାଣ

ଉତ୍ୟକ୍ତ ଗ୍ରାମବାସୀ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ମାରୁଥିଲେ….

ରାୟପୁର: ଛତିଶଗଡ଼ର କବିରଧାମ ଜିଲ୍ଲାରେ ଚଢ଼ଉ କରିବା ପାଇଁ ଯାଇଥିବା ଅବକାରୀ ପୁଲିସ ଟିମକୁ ଗ୍ରାମବାସୀମାନେ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଏସ୍‌ଆଇ ଯୋଗେଶ ସୋନୀଙ୍କ ସମେତ ୧୨ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି । ସୂଚନାନୁସାରେ, ସିଂଘନପୁରୀ ଥାନା ଅନ୍ତର୍ଗତ ନବଗାଁରେ ବେଆଇନ ମଦ କାରବାର ଚାଲୁଥିବା ଖବର ପାଇବା ପରେ ଅବକାରୀ ଟିମ ସେଠାରେ ପହଂଚିଥିଲା ।

ଅବକାରୀ ପୁଲିସକୁ ଦେଖିବା ମାତ୍ରେ ଗ୍ରାମବାସୀମାନେ ଝପଟି ଆସିଲେ । ପୁଲିସ କିଛି ବୁଝିବା ପୂର୍ବରୁ ଗ୍ରାମବାସୀମାନେ ପିଟିବା ଆରମ୍ଭ କରିଦେଲେ । ଗ୍ରାମବାସୀଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅବକାରୀ ପୁଲିସ କର୍ମଚାରୀ ଜୀବନ ବିକଳରେ ଯୁଆଡେ଼ ପାଇଲେ ଧାଇଁବାକୁ ଲାଗିଲେ । ଉତ୍ୟକ୍ତ ଗ୍ରାମବାସୀ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ମାରୁଥିଲେ । ତେବେ କେଉଁ କାରଣରୁ ଗ୍ରାମବାସୀମାନେ ମିଳିତ ଆକ୍ରମଣ କଲେ । ତାହା ଅସ୍ପଷ୍ଟ ରହିଛି ।