ମୋଦୀଙ୍କ ଲାଞ୍ଜରେ ହାତ ମାରିଦେଲେ ପୂର୍ବତନ ବିଚାରପତି
ସାହାରା ପେପର୍ସ ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ତଦନ୍ତ ଅନୁମତି ଲୋଡା ଯାଇଥିଲା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଞ୍ଜରେ ହାତ ମାରିବାକୁ ଦେଶର ୧୩୫ କୋଟି ଜନତା ଡରୁଥିଲା ବେଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି ଗୋପାଳ ଗୌଡ଼ା ଦୁଃସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଜଷ୍ଟିସ୍ ଗୋପାଳ ଗୌଡ଼ା କହିଛନ୍ତି, ୨୦୧୪ ମସିହା ପରେ ସୁପ୍ରିମକୋର୍ଟର ସ୍ଥିତି ଦୁର୍ବଳ ହୋଇଯାଇଛି । ସରକାରଙ୍କ ବିରୋଧରେ ରାୟ ଦେବାର ସାହସ ହରାଇଛି ସୁପ୍ରିମକୋର୍ଟ ।
ସଂକ୍ଷେପରେ କହିଲେ, ୨୦୧୪ ମସିହା ପୂର୍ବରୁ ସୁପ୍ରିମକୋର୍ଟ ସରକାରଙ୍କ ଚକ ଜାମ୍ କରିଦେବାର ସତ୍ସାହସ ରଖିଥିଲେ । ଜଷ୍ଟିସ୍ ଗୌଡ଼ା ରାଜନୀତି ସହ ଜଡ଼ିତ ମାମଲାଗୁଡ଼ିକ ପ୍ରତି ସୁପ୍ରିମକୋର୍ଟଙ୍କ ନିରପେକ୍ଷତାକୁ ଟାର୍ଗେଟ୍ କରିଛନ୍ତି । ଅଯୋଧ୍ୟା ମାମଲା, ସାହାରା-ବିର୍ଲା ପେପର୍ସ ମାମଲା, ବିଚାରପତି ଲୋୟା ମାମଲା, ଭୀମା କୋରେଗାଓଁ ମାମଲା ଭଳି ବହୁ ମାମଲାରେ ସୁପ୍ରିମକୋର୍ଟ ସରକାରଙ୍କ ଚାପର ସମ୍ମୁଖୀନ ହୋଇଥିବା ଅନୁମାନ କରିଛନ୍ତି ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଅନୁମତି ଦେଇ ସୁପ୍ରିମକୋର୍ଟ ବହୁ ଧାର୍ମିକ ସଂଗଠନକୁ ଜ୍ଞାନବାପି ଓ ଅନ୍ୟାନ୍ୟ ମସଜିଦ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ସାହସ ଯୋଗାଇଛନ୍ତି । ୧୯୯୧ରେ ପ୍ରଣୀତ ଉପାସନାସ୍ଥଳୀ ଆଇନ ସତ୍ୱେ ଏଭଳି ଦାବି ଭାରତ ଭଳି ବହୁ ଧର୍ମାବଲମ୍ବୀ ଦେଶ ପ୍ରତି ମହାବିପଦ ବୋଲି ସେ କହିଛନ୍ତି । ସାହାରା ପେପର୍ସ ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ତଦନ୍ତ ଅନୁମତି ଲୋଡା ଯାଇଥିଲା ।
ମାତ୍ର ସୁପ୍ରିମକୋର୍ଟ ଉକ୍ତ ମାମଲାକୁ ଖାରଜ କରିଥିଲେ । ବିଚାରପତି ଲୋୟା ମାମଲାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ତଦନ୍ତ ଲୋଡ଼ା ଯାଇଥିଲା । ଭୀମା କୋରେଗାଓଁ ମାମଲାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ଗିରଫ କରାଯିବା ଉଚିତ ନଥିଲା । ଜଷ୍ଟିସ୍ ଗୌଡା ବିମୁଦ୍ରାକରଣ ମାମଲାରେ ବିଚାରପତି ବିଭି ନାଗରତ୍ନାଙ୍କ ମତାମତକୁ ତାରିଫ କରିଛନ୍ତି ।
୨୦୧୬ ବିମୁଦ୍ରାକରଣ ନିଷ୍ପତିରୁ ଜଣାପଡ଼ିଛି ଯେ ରିଜର୍ଭ ବ୍ୟାଙ୍କ ତା’ର ବୈଧାନିକ କ୍ଷମତା ପ୍ରୟୋଗ କରିନାହିଁ । ଭାରତର ସାମ୍ବିଧାନିକ ଗଣତନ୍ତ୍ରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜଣେ ମାତ୍ର ବିଚାରପତିଙ୍କ ସାହସ ଥିବା କହି ଜଷ୍ଟିସ୍ ଗୌଡ଼ା ନରେନ୍ଦ୍ର ମୋଦୀଙ୍କୁ ଆଡ଼ବାୟା ପ୍ରଧାନମନ୍ତ୍ରୀ ଭାବେ ଅଭିହିତ କରିଛନ୍ତି ।