କମ୍ପ୍ୟୁଟର ଅଚଳ: ଆମେରିକାର ବହୁ ବିମାନ ଦାରୁଭୂତ

ଆମେରିକା ଇତିହାସରେ ଏଭଳି ଦୁର୍ଯୋଗ ପ୍ରଥମ…

ୱାଶିଂଟନ: ବୁଧବାର ଆମେରିକାରେ କୌଣସି ବିମାନ ଠିକ୍‌ ସମୟରେ ଉଡାଣ କରିନାହିଁ । ସୂଚନା ମୁତାବକ ନୋଟାମ (ନୋଟିସ୍‌ ଟୁ ଏୟାର ମିଶନ୍ସ) ସିଷ୍ଟମ ଅଚଳ କାରଣରୁ ସବୁ ବିମାନ ଅଚଳପ୍ରାୟ । ଯୋଉ ଶକ୍ତିଶାଳୀ ଦେଶ ପାଇଁ ପ୍ରତିଟି ସେକେଣ୍ଡ ଅତି ମୂଲ୍ୟବାନ । ସେ ଦେଶକୁ ଦାରୁଣ ବିପର୍ଯ୍ୟୟରେ ପକାଇଛି ଆଧୁନିକ ବୈଷୟିକ ଜ୍ଞାନକୌଶଳ । ରିପୋର୍ଟ ମୁତାବକ ୨୫୧୨ଟି ବିମାନ ବିଳମ୍ବରେ ଉଡାଣ ଆରମ୍ଭ କରିଛନ୍ତି ।

୨୫୪ଟି ଘରୋଇ ଓ ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଆମେରିକାର ବେସାମରିକ ବିମାନ ଚଳାଚଳ ୱେବସାଇଟ୍‌ ଏହି ତଥ୍ୟ ପ୍ରଦାନ କରିଛି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ବଡ଼ ଧରଣର ବୈଷୟିକ ତ୍ରୁଟି ଦେଖିବାକୁ ମିଳିଛି । ହ୍ୱାଇଟ୍‌ ହାଉସ୍‌ ପ୍ରେସ ସଚିବ କେରିନ୍‌ ଜିନ ପିୟରେଙ୍କ ବୟାନ ଅନୁସାରେ ପରିବହନ ମନ୍ତ୍ରୀ ପ୍ରଥମେ ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କରି ବିମାନ ଉଡ଼ାଣ ପ୍ରସଙ୍ଗ ଜଣାଇଛନ୍ତି ।

ହ୍ୱାଇଟ୍‌ ହାଉସ୍‌ ସାଇବର ହମ୍‌ଲାକୁ ଅସ୍ୱୀକାର କରିଥିଲେ ମଧ୍ୟ ନୋଟାମ ସିଷ୍ଟମ୍‌ ଅଚଳ ହେବାର କାରଣ ସଂପର୍କୀତ ରିପୋର୍ଟ ଲୋଡ଼ିଛନ୍ତି । ପ୍ରାୟ ୨୧ ହଜାର ବିମାନ ଉଡ଼ାଣ କରିବାର ଥିଲା । ସେଗୁଡ଼ିକ ଭିତରୁ ଅଧିକାଂଶ ଘରୋଇ ବିମାନ । ତାକୁ ବାଦ ଦେଲେ ୧୮୪୦ ଅନ୍ତର୍ଜାତୀୟ ବିମାନ ଅବତରଣ କରିବାର ଥିଲା । ବୈଷୟିକ ତ୍ରୁଟି ସମାଧାନ ପାଇଁ କେତେ ସମୟ ଲାଗିବ, ସେ ସଂପର୍କୀତ ସୂଚନା ପ୍ରସାରଣ କରାଯାଇନି । ବିମାନ ଉଡ଼ାଣ ବାଧାପ୍ରାପ୍ତ କାରଣରୁ ପ୍ରାୟ ୨ କୋଟି ଡଲାର କ୍ଷତି କରିଛି ଆମେରିକା ।