ଓଡ଼ିଶାକୁ ହକି ଜ୍ୱର: ମୁଖ୍ୟମନ୍ତ୍ରୀଙ୍କ ସମେତ ୩ କୋଟି ଆକ୍ରାନ୍ତ

ବିଶ୍ୱକପ୍‌ ହକି ଟ୍ରଫି ସାରା ରାଜ୍ୟ ବୁଲିବା ପରେ କଟକରେ ପହଂଚିଥିଲା….

କଟକ: ବେଶ ଉତ୍ସାହ ଓ ଉଦ୍ଦିପନା ଭିତରେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ଶେଷ ହୋଇଛି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ କରିବା ପାଇଁ ରାଜ୍ୟ ସରକାର ଯଥାସାଧ୍ୟ ଉଦ୍ୟମ କରିଥିଲେ । କିନ୍ତୁ ସବୁ ଲୋକଙ୍କ ଭାଗ୍ୟରେ ହକି ବିଶ୍ୱକପ୍‌ ଦେଖିବାର ସୁଯୋଗ ମିଳିବନି । ଉଦ୍‌ଘାଟନୀ ଉତ୍ସବ ଦେଖିବାର ସୁଯୋଗ ମିଳିଲାନି ।

ବିଶେଷ କରି ଦିନ ମଜୁରିଆ, ଉଠା ଦୋକାନୀ, ହକି ବିଶ୍ୱକପ୍‌ ପାଇଁ ବେଉସା ହରାଇଥିବା ଛୋଟ ବ୍ୟବସାୟୀ, କୃଷକ, କୋଠାବାଡ଼ି ନିର୍ମାଣ ଶ୍ରମିକ ସମୁଦାୟ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ଦେଖି ପାରିଲେନି । ଦିନଟିଏ କାମକୁ ନଗଲେ ଯେଉମାନଙ୍କ ଘରେ ଚୁଲି ଜଳିବନି, ସେପରି ପରିବାର ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ମ୍ୟାଚରେ ଅଭିନେତ୍ରୀ ଦିଶା ପଟନୀଙ୍କ ନାଚ ଦେଖି ପାରିଲେନି । ଅଭିନେତା ରଣବୀର ସିଂହଙ୍କ ଶିମ୍ବା ଷ୍ଟାଇଲ୍‌ ଦେଖି ପାରିଲେନି ।

ସବ୍ୟସାଚୀ, ଅର୍ଚ୍ଚିତା, ଅନନ୍ୟାଙ୍କ ଭଳି ଓଡ଼ିଆ ଅଭିନେତା ଅଭିନେତ୍ରୀଙ୍କଠାରୁ ଓଡ଼ିଶା ସଂସ୍କୃତିର ଗୁରୁଜ୍ଞାନ ଗ୍ରହଣ କରି ପାରିଲେନି । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି ବହୁ ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ହକି ବିଶ୍ୱକପ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବୁଧବାର ମଧ୍ୟାହ୍ନରୁ ରାଜ୍ୟର ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଛୁଟି କରି ଦିଆଯାଇଥିଲା ।

ସରକାରଙ୍କ ଛୁଟି ଘୋଷଣାକୁ ପବ୍ଲିକ ସ୍କୁଲଗୁଡ଼ିକ ପାଳନ କରିବାକୁ ବାଧ୍ୟ ହୋଇଥିଲେ । ଯଦିଓ କୌଣସି ପବ୍ଲିକ ସ୍କୁଲରୁ ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀଙ୍କ ଭିତରୁୂ ଜଣେ କେହି ହକି ତାରକା ହୋଇ ପାରିନାହାନ୍ତି । ତଥାପି ସେମାନଙ୍କୁ ହକିର ଆକ୍ରାନ୍ତ ହେବାକୁ ବାଧ୍ୟ କରାଯାଇଛି । କୌଶଳ ତାମିଲ କେନ୍ଦ୍ର ସମେତ ସବୁ ଆଇଟିଆର ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥିଙ୍କୁ ଉଦ୍‌ଘାଟନ ସମାରୋହକୁ ଡକାଯାଇଥିଲା । ବିଶ୍ୱକପ୍‌ ହକି ଟ୍ରଫି ସାରା ରାଜ୍ୟ ବୁଲିବା ପରେ କଟକରେ ପହଂଚିଥିଲା । ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମରୁ ସକାଳ ସାଢେ଼ ୬ଟାରେ ବାଲିଯାତ୍ରା ପଡିଆକୁ ଯାଇଥିଲା ।

ସକାଳ ୮ଟାରେ ଟ୍ରଫିକୁ ଧରି ସହର ପରିକ୍ରମା କରାଯାଇଥିଲା । କଟକ ଚଣ୍ଡୀ ମନ୍ଦିରରୁ ଶୈଳବାଳା ମହିଳା କଲେଜ, ବକ୍ସିବଜାର, ନେତାଜୀ ସଂଗ୍ରହାଳୟ, କଦମ୍‌-ଏ-ରସୁଲ, ବାଲୁବଜାର, ହାଇକୋର୍ଟ ଛକ, ଚାନ୍ଦିନୀଚୌକ, ବେଲଭ୍ୟୁ ଛକ ଦେଇ ସତୀଚୌରା ଛକରୁ ସିଡିଓ ମାର୍କେଟ୍‌ ପ୍ରଭୃତି ବାଟ ଦେଇ ପୁଣି ଷ୍ଟାଡିୟମକୁ ଫେରିଥିଲା ଟ୍ରଫି ।