ପାକିସ୍ତାନ ଦୂତାବାସରେ ମହିଳା ପ୍ରଫେସରଙ୍କୁ ଅସଦାଚରଣ
କିଛିଦିନ ପରେ ଭିସା ପାଇଁ ଉଚ୍ଚାୟୁକ୍ତ ଯିବାରୁ ପ୍ରଥମେ ତାଙ୍କୁ ମନା କରାଗଲା…
ନୂଆଦିଲ୍ଲୀ: ପଞ୍ଜାବସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଜଣେ ମହିଳା ପ୍ରଫେସର ପ୍ରଧାନମନ୍ତ୍ରୀ ଓ ଭାରତୀୟ ବିଦେଶ ମନ୍ତ୍ରଣାଳୟ ନିକଟରେ ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ପୀଡ଼ିତ ପ୍ରଫେସରଙ୍କ ଅଭିଯୋଗ ମୁତାବକ ପାକ୍ ଉଚ୍ଚାୟୁକ୍ତର ଜଣେ କର୍ମଚାରୀ ତାଙ୍କୁ ଭିସା ଦେବା ବଦଳରେ ଶାରୀରିକ ସଂପର୍କ ପାଇଁ ବାଧ୍ୟ କରିଥିଲେ । ପ୍ରଫେସର ଜଣକ ମନା କରିବାରୁ ସଂପୃକ୍ତ କର୍ମଚାରୀ ଜଣକ କଟାକ୍ଷ କରିଥିଲେ ଯେ ଜଣେ ଅବିବାହିତା ମହିଳା ପାକିସ୍ତାନ ଯିବାର କାରଣ କ’ଣ?
ସୂଚନା ମୁତାବକ ପୀଡ଼ିତ ପ୍ରଫେସର ୨୦୨୨ ମାର୍ଚ୍ଚ ୧୫ ତାରିଖରେ ପାକ୍ ଭିସା ପାଇଁ ଅନ୍ଲାଇନ୍ରେ ଆବେଦନ କରିଥିଲେ । କିଛିଦିନ ପରେ ଭିସା ପାଇଁ ଉଚ୍ଚାୟୁକ୍ତ ଯିବାରୁ ପ୍ରଥମେ ତାଙ୍କୁ ମନା କରାଗଲା । ସେ ଫେରିବାକୁ ବସିଥିଲା ବେଳେ ଜଣେ କର୍ମଚାରୀ ତାଙ୍କ ନିକଟକୁ ଆସି ଭିସା ପାଇଁ କିଛିକ୍ଷଣ ଅପେକ୍ଷା କରିବାକୁ କହିଥିଲେ ।
ପରେ ସାକ୍ଷାତକାର ଆଳରେ ଅନ୍ୟ ଗୋଟିଏ ରୁମକୁ ଡାକି ନେଇ ୪୫ ମିନିଟ୍ ଧରି ଅସଦାଚରଣ ପ୍ରଦର୍ଶନ କରିଥିଲେ । ସଂପୃକ୍ତ କର୍ମଚାରୀ ପ୍ରଥମେ ବିବାହ ପ୍ରସ୍ତାବ ଦେଇଥିଲେ । ପ୍ରଫେସର ମନା କରିବାରୁ ଶାରୀରିକ ସଂପର୍କ ପାଇଁ ବାଧ୍ୟ କରିଥିଲେ ।