ଜାତୀୟ କୋଚ୍ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କଲେ ଫୋଗଟ୍
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କ୍ରୀଡ଼ା ଦୁନିଆ ଭିତରୁ ଓ ବାହାରୁ ପ୍ରତିକ୍ରିୟା ପ୍ରକାଶ ପାଇଛି…
ନୂଆଦିଲ୍ଲୀ: ବର୍ଷବର୍ଷ ଧରି ଜାତୀୟ କୋଚ୍ଙ୍କ ମାନସିକ ଯନ୍ତ୍ରଣା ଓ ଶାରୀରିକ ନିର୍ଯାତନାର ଶିକାର ହୋଇ ଆସୁଥିବା ଅଭିଯୋଗ କରିଛନ୍ତି ଭାରତର ବିଶିଷ୍ଟ ମଲ୍ଲଯୋଦ୍ଧା ବିନେଶ ଫୋଗଟ୍ । ତାଙ୍କର ଅଭିଯୋଗ ଗଣମାଧ୍ୟମରେ ପ୍ରକାଶିତ ହେବା ପରଠାରୁ ମହିଳା ଆଥଲେଟମାନେ ଏକଜୁଟ ହେବାକୁ ଆରମ୍ଭ କରିଛନ୍ତି ।
ଆନ୍ତର୍ଜାତିକ ସ୍ତରରେ ଭାରତକୁ ଗୌରବାନ୍ୱିତ କରିଥିବା ମହିଳା କ୍ରୀଡ଼ାବିତଙ୍କ ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ପ୍ରତି ଆଂଚ ଆଣୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କ୍ରୀଡ଼ା ଦୁନିଆ ଭିତରୁ ଓ ବାହାରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉଭୟ ଏସିଆନ୍ ଓ ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି ବିନେଶ ଫୋଗଟ୍ । ବୁଧବାର ନୂଆଦିଲ୍ଲୀର ଜନ୍ତର ମନ୍ତର ମଇଦାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫୋଗଯ୍ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ବିରୋଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି, ଆମେ ଭାରତର ଗୌରବକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରିବା ପାଇଁ ଜୀବନବ୍ୟାପୀ ସାଧନା କରୁଛୁ ।
କିନ୍ତୁ ସବୁଠାରୁ ଦୁଃଖର ବିଷୟ ହେଉଛି ଭାରତର ମହିଳା କ୍ରୀଡ଼ା ପ୍ରତିଭାଧରମାନେ ଜାତୀୟ ସ୍ତରର କୋଚ୍ମାନଙ୍କ ଦ୍ୱାରା ବର୍ଷ ବର୍ଷ ଧରି ନିର୍ଯାତିତ ହୋଇଆସୁଛନ୍ତି । ଏହି କ୍ରମରେ ସେ ଡବ୍ଲ୍ୟୁଏଫ୍ଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଶାରୀରିକ ଶୋଷଣ ଅଭିଯୋଗ କରିଥିଲେ ।
ବ୍ରିଜଭୂଷଣଙ୍କୁ ଅଧ୍ୟକ୍ଷ ପଦରୁ ନ ହଟାଯିବା ପର୍ଯ୍ୟନ୍ତ ମହିଳା ଓ ପୁରୁଷ ମଲ୍ଲଯୋଦ୍ଧାମାନେ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଅଲିମ୍ପିକ୍ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆ ଦୃଢ଼ତାର ସହ କହିଛନ୍ତି ।