‘ଏକ ପେଡ୍ ମା କେ ନାମ୍ ୩.୦’: ଗୋଟିଏ ଦିନରେ ଓଡ଼ିଶାରେ ୪୭ ଲକ୍ଷରୁ ଅଧିକ ଚାରାରୋପଣ

ସେବା ସଂକଳ୍ପ ଅଭିଯାନ–୨୦୨୬ରେ ରାଜ୍ୟର ସବୁ ଜିଲ୍ଲା ଓ ଗ୍ରାମ ପଞ୍ଚାୟତର ଅଂଶଗ୍ରହଣ

ସବୁଜ ଭବିଷ୍ୟତ ପାଇଁ ଓଡ଼ିଶାର ସାମୂହିକ ସଂକଳ୍ପର ପ୍ରତିଫଳନ ଏହି ଅଭିଯାନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସବୁଜ ଓଡ଼ିଶା ଗଠନ ପାଇଁ ରାଜ୍ୟବ୍ୟାପୀ ଏକ ବଡ଼ ସାମୂହିକ ପ୍ରୟାସର ସାକ୍ଷୀ ହୋଇଛି ଓଡ଼ିଶା। ‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନରେ ସେପ୍ଟେମ୍ବର ୨୫ ତାରିଖରେ ମାତ୍ର ଗୋଟିଏ ଦିନରେ ରାଜ୍ୟରେ ୪୭ ଲକ୍ଷରୁ ଅଧିକ ଚାରାରୋପଣ କରାଯାଇଛି। ସେବା ସଂକଳ୍ପ ଅଭିଯାନ–୨୦୨୬ର ଏହି ଚାରାରୋପଣ ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସମସ୍ତ ଗ୍ରାମ ପଞ୍ଚାୟତ ସାମିଲ ହୋଇଥିବା ବେଳେ, ପରିବେଶ ସୁରକ୍ଷା ପାଇଁ ଗାଁ-ଗାଁରେ ସାମୂହିକ ସଂକଳ୍ପର ଏକ ଦୃଢ଼ ଚିତ୍ର ସାମ୍ନାକୁ ଆସିଛି ଏଥର ଗୋଟିଏ ଦିନର ଚାରାରୋପଣ ସଂଖ୍ୟା ଗତବର୍ଷର ୩୭ ଲକ୍ଷ ଚାରାରୋପଣ ରେକର୍ଡ ତୁଳନାରେ ଅଧିକ ହୋଇଛି। ରାଜ୍ୟର ୧୪ ହଜାରରୁ ଅଧିକ ସ୍ଥାନରେ ଚାରାରୋପଣ କରାଯାଇଥିବା ଏହି ବିଶାଳ ଅଭିଯାନ ତୃଣମୂଳସ୍ତରରେ ଏହାର ବ୍ୟାପକ ପହଞ୍ଚ ଓ ଲୋକଙ୍କ ଅଂଶଗ୍ରହଣକୁ ପ୍ରତିଫଳିତ କରିଛି ।

ରାଜ୍ୟବ୍ୟାପୀ ଏହି ଅଂଶଗ୍ରହଣକୁ ସ୍ୱାଗତ କରି ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ଗ୍ରାମ ପଞ୍ଚାୟତର ଅଂଶଗ୍ରହଣ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ପାଇଁ ଓଡ଼ିଶାବାସୀଙ୍କ ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରୁଛି। ଚାରା ଲଗାଇବା କେବଳ ଆରମ୍ଭ ମାତ୍ର; ଏହାର ଯତ୍ନ ନେବା ଏବଂ ଚାରାଗୁଡ଼ିକୁ ବଞ୍ଚାଇ ରଖିବା ମଧ୍ୟ ସମାନ ଭାବେ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି। ଗାଁଗୁଡ଼ିକୁ ଅଧିକ ସବୁଜ, ସୁସ୍ଥ ଓ ସ୍ଥାୟୀ କରିବା ପାଇଁ ଏହି ଅଭିଯାନରୁ ସୃଷ୍ଟ ଉତ୍ସାହକୁ ଆଗକୁ ଜାରି ରଖିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବ ଶ୍ରୀ ଗିରିଶ ଏସ୍.ଏନ୍. ଏହି ସଫଳତା ପାଇଁ ଅଭିଯାନରେ ସାମିଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମନ୍ୱିତ ଦଳଗତ ପ୍ରୟାସ ମାଧ୍ୟମରେ ରାଜ୍ୟର ଅନ୍ତର୍ନିହିତ ସାମର୍ଥ୍ୟକୁ କିପରି ବଡ଼ ସଫଳତାରେ ପରିଣତ କରାଯାଇପାରେ, ଏହା ତାହାର ଏକ ଉଦାହରଣ ବୋଲି ସେ କହିଛନ୍ତି। ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଏହି ସଫଳତା ହାସଲ କରିଥିବା ରାଜ୍ୟର ସମସ୍ତ ଟିମ୍‌ର ପ୍ରୟାସକୁ ସେ ବିଶେଷ ପ୍ରଶଂସା କରିବା ସହ ଏହି ଉତ୍ସାହ ଓ ଗତିକୁ ଆଗାମୀ ଦିନରେ ମଧ୍ୟ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଗୋଟିଏ ଦିନରେ ୪୭ ଲକ୍ଷରୁ ଅଧିକ ଚାରାରୋପଣ ତୃଣମୂଳସ୍ତରରେ ଓଡ଼ିଶାର ସାମୂହିକ ଶକ୍ତି ଓ ପରିବେଶ ପ୍ରତି ପ୍ରତିବଦ୍ଧତାକୁ ପ୍ରକାଶ କରିଛି। ‘ଏକ ପେଡ୍ ମା କେ ନାମ୍ ୩.୦’ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଗାଁ-ଗାଁରେ ପହଞ୍ଚିବା ସହ ଲଗାଯାଇଥିବା ପ୍ରତ୍ୟେକ ଚାରାର ଯତ୍ନ ନେଇ ଏକ ସବୁଜ ଭବିଷ୍ୟତ ଗଢ଼ିବାର ସାମୂହିକ ଦାୟିତ୍ୱ ଆହୁରି ଦୃଢ଼ ହୋଇଛି ।