ରାଂଚି: ଶୁକ୍ରବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ଧନବାଦରେ ଏକ ନର୍ସିଂ ହୋମରେ କୌଣସି କାରଣରୁ ନିଆଁ ଲାଗିଯିବା ଫଳରେ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲାଗିବା ସମୟରେ ସମସ୍ତେ ଶୋଇ ପଡ଼ିଥିଲେ । ବାଥ୍ ଟବ୍ରୁ ଡାକ୍ତରଙ୍କ ମୃତଦେହ ମିଳିଛି । ବିଶ୍ୱାସ କରାଯାଉଛି, ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଡାକ୍ତର ଜଣକ ଗାଧୁଆ କୁଣ୍ଡରେ ଆଶ୍ରୟ ନେଇଥିଲେ ।
କିନ୍ତୁ ସେଇଠାରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରାଥମିକ ଅନୁସନ୍ଧାନ କରି ପୁଲିସ କହିଛି ଯେ ନର୍ସିଂ ହୋମ ଗୋଦାମରୁ ନିଆଁ ବ୍ୟାପିଥିବ । ନର୍ସିଂ ହୋମଟି ହୁତହୁତ ହୋଇ ଜଳୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟିରେ ଡାକ୍ତର ବିକାଶ ହାଜରା ଖିଡ଼ିକି ବାଟ ଦେଇ ତାଙ୍କୁ ବଂଚାଇବା ପାଇଁ କାକୁତି ମିନତି କରୁଛନ୍ତି ।
ତଳେ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେଇ କହୁଛନ୍ତି, ‘ଚିନ୍ତା କରନା, ଆମେ ସିଡ଼ି ପକାଇ ଆପଣଙ୍କ ନିକଟକୁ ଆସୁଛୁ।’ ଅଗ୍ନିକାଣ୍ଡର ଶିକାର ହାଜରା କ୍ଲିନିକ୍ ଆଣ୍ଡ ହସ୍ପିଟାଲଟି ଧନବାଦର ବ୍ୟାଙ୍କମୋଡ଼ ଥାନା ଅଂଚଳର ଟେଲିଫୋନ୍ ଏକ୍ସଚେଞ୍ଜ ରୋଡ୍ରେ ଅଛି ।
କ୍ଲିନିକର ପ୍ରଥମ ମହଲାରେ ଡାକ୍ତର ପରିବାର ରହୁଥିଲେ । ଘନଧୂଆଁରେ ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତି ଡାକ୍ତର ବିକାଶ ହାଜରା, ଡାକ୍ତର ପ୍ରେମା ହାଜରା, ଭଣଜା ସୋହମ ଖମାରୁ, ସଂର୍ପକୀୟ ଶମ୍ଭୁ ସିନ୍ଧୁ, ସେବିକା ତାରା ମଣ୍ଡଳଙ୍କ ସମେତ ୬ ଜଣ ପ୍ରାଣ ହରାଇଥିଲେ ।
ହସ୍ପିଟାଲ ଚଉକିଦାର କହିଛନ୍ତି ଯେ ରାତି ପ୍ରାୟ ଗୋଟାଏରେ ନିଆଁ ଝୁଲ ଦିଶିଲା । ଆମେ ଦଉଡ଼ି ଯାଇ ଦେଖିଲା ବେଳକୁ ପ୍ରଥମ ମହଲାକୁ ନିଆଁ ବ୍ୟାପିଗଲାଣି । ପ୍ରାୟ ଘଂଟାକ ପରେ ଆମେ ସୁରକ୍ଷାକର୍ମୀଙ୍କ ସାହାଯ୍ୟରେ ୬ ଜଣଙ୍କୁ ଉଦ୍ଧାର କଲୁ । ନର୍ସିଂ ହୋମ ଜଳୁଥିବା ବେଳେ ତଳ ମହଲାରେ ୧୦-୧୫ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ନିଆଁ ଲାଗିବାର ଦେଖି ସେମାନେ ଆପେ ଆପେ ବାହାରକୁ ପଳାଇଗଲେ । କେବଳ ପ୍ରଥମ ମହଲାକୁ ନିଆଁ ଗ୍ରାସ କରିଛି ।