ଶାଳଗ୍ରାମରେ ଗଢ଼ାଯିବ ଶ୍ରୀରାମଙ୍କ ପ୍ରତିମା
ଉକ୍ତ ଶିଳାକୁ ରାସ୍ତାକଡ଼ରେ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି…..
ନୂଆଦିଲ୍ଲୀ: ନେପାଳରୁ ଦୁଇଟି ବିଶାଳ ଶାଳଗ୍ରାମ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଛି । ସେହି ଦୁଇଟି ଶାଳଗ୍ରାମରେ ପ୍ରଭୁ ଶ୍ରୀରାମ ଓ ମା’ ଜାନକୀଙ୍କ ପ୍ରତିମା ତିଆରି କରାଯିବ । କୁହାଯାଉଛି, ଦୁଇଟି ଯାକ ଶାଳଗ୍ରାମ ପ୍ରାୟ ୬ କୋଟି ବର୍ଷର ପୁରୁଣା । ପ୍ରତିମା ଦୁଇଟିକୁ ଗର୍ଭଗୃହରେ ରଖାଯିବ କି ପରିସରରେ ଅନ୍ୟ କୋଉଠି ସ୍ଥାପନ କରାଯିବ; ସେ ବିଷୟରେ ରାମ ମନ୍ଦିର ଟ୍ରଷ୍ଟ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବ ।
ନେପାଳର ପୋଖରାସ୍ଥିତ ଶାଳଗ୍ରାମୀ ନଦୀ (କାଳୀ ଗଣ୍ଡକି)ରୁ ଦୁଇଟି ଶିଳାକୁ ଚିହ୍ନଟ କରିଥିଲେ ପ୍ରତ୍ନତତ୍ୱବିଦ ବିଶେଷଜ୍ଞ ମଣ୍ଡଳୀ । ଜାନୁଆରୀ ୨୬ ତାରିଖରେ ସେଗୁଡ଼ିକୁ ଟ୍ରକରେ ଲଦି ସଡ଼କ ବାଟରେ ଅଯୋଧ୍ୟାକୁ ପଠାଯାଇଛି । ଉକ୍ତ ଶିଳାକୁ ରାସ୍ତାକଡ଼ରେ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି । ଦୁଇଟି ଯାକ ଶାଳଗ୍ରାମର ଓଜନ ଯଥାକ୍ରମେ ୨୬ ଟନ୍ ଓ ୧୪ ଟନ୍ ।
ଫେବୃଆରୀ ୨ ତାରିଖ ସୁଦ୍ଧା ଶିଳାଗୁଡ଼ିକ ଅଯୋଧ୍ୟାରେ ପହଂଚିଯିବ । ନେପାଳରେ ପ୍ରବାହିତ ଶାଳିଗ୍ରାମୀ ନଦୀ ଭାରତରେ ନାରାୟଣୀ ନାମରେ ଖ୍ୟାତ । ସରକାରୀ ନଥିପତ୍ରରେ ଉକ୍ତ ନଦୀର ନାମ ବୁଢ଼ି ଗଣ୍ଡକି ।
ଶାଳିଗ୍ରାମୀ ନଦୀର କଳା ପଥର ଭଗବାନଙ୍କ ଶାଳଗ୍ରାମ ରୂପରେ ପୂଜା ପାଆନ୍ତି । କେବଳ ଶାଳିଗ୍ରାମୀ ନଦୀରେ ଶାଳଗ୍ରାମ ପଥର ମିଳେ । ଏହି ନଦୀ ଦାମୋଦର କୁଣ୍ଡରୁ ବାହାରି ବିହାରର ସୋନପୁର ନିକଟରେ ଗଙ୍ଗାନଦୀରେ ମିଶିଛି ।