ଭୁବେନେଶ୍ଵର : କଂଟାବାଞ୍ଜିର କଂଟା କହିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ବୁଝାଏ । ରୋକଠୋକ କଥା କହି ବାବୁ ସନ୍ତୋଷ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କିଏ ଜାଣିଥିଲା, ତାଙ୍କ ପୁଅ ସେଜି ଏମିତି ଏକ କାରନାମା କରି ତାଙ୍କ ମୁହଁରେ କଳା ବୋଳିଦେବ । ବେଶ କିଛିବର୍ଷ ଧରି କଂଟାବାଞ୍ଜିରେ ବାବୁଙ୍କ ଖାତିର ଅଛି ।
ପୁଅର କାରନାମା ବାପାଙ୍କ ରାଜନୀତି କ୍ୟାରିଅରକୁ କ୍ଷତି କରିବାର ଆଶଙ୍କା ଉପୁଜିଛି । ‘ରୋଗୀ ଖୋଜୁଥିଲା ଟଙ୍କ ତୋରାଣି, ବଇଦ ଯାଚିଲା ବାସି ତୋରାଣି’ କଥାଟି ସଂପୂର୍ଣ୍ଣ ଠିକ । ସନ୍ତୋଷଙ୍କ ରାଜନୈତିକ କ୍ୟାରିୟରକୁ ସମାଧି ଦେବା ପାଇଁ ବିଜେଡି ମଉକା ଦେଖି ଗୋଟି ଚାଳନା କରିଛି । ସେଜିଙ୍କ ପ୍ରତି ପୁଲିସର କାର୍ଯ୍ୟାନୁଷ୍ଠାନକୁ ଆମେ ବିଜେଡିର ହୀନ ଷଡ଼ଯନ୍ତ୍ର କହି ପାରିବାନି; ଜଣେ ବିଧାୟକଙ୍କ ପୁଅ ପରିଚାଳିତ ବ୍ୟାୟାମଶାଳାରୁ ନଗଦ ୧୯ ଲକ୍ଷ ଟଙ୍କା ସାଙ୍ଗକୁ ୧୭ ଲିଟର ମଦ ମିଳିବା ଅତ୍ୟନ୍ତ ଅଶୋଭନୀୟ ଘଟଣା ।
ପୁଲିସ ବିଧାୟକଙ୍କ ପୁଅ ସେଜିଙ୍କୁ ଗିରଫ କରି ଜେଲକୁ ପଠାଇ ଠିକ୍ କାମ କରିଛି । ଜାମିନ ନାମଞ୍ଜୁର ହେବାରୁ ସେଜିଙ୍କୁ ଜେଲକୁ ପଠାଇ ଦିଆଯାଇଛି । ସେଜିଙ୍କ ସହଯୋଗୀ ଅଜୟ ଅଗ୍ରୱାଲ (୪୦), ବିକାଶ ଅଗ୍ରୱାଲ (୩୭), ବିପୁଲ ମାରୁ (୩୯), ରାଜା ପାତ୍ର (୨୩) ଓ ଧରମବୀର ଗୁପ୍ତା (୩୧)ଙ୍କୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି । ବାଟ ହୁଡ଼ିଥିବା ପୁଅକୁ ବାଟକୁ ଆଣି ସନ୍ତୋଷ ନିଜର ରାଜନୈତିକ କ୍ୟାରିୟରକୁ ବଜାୟ ରଖନ୍ତୁ ନଚେତ୍ ଇତିହାସକୁ ଚାଲିଯାନ୍ତୁ ।