ମୋଦୀଙ୍କ ସୁଦିନ: ଟିଭି ଦେଖିବା ଏବେ ମହଙ୍ଗା

ଫଳରେ ବହୁ ଉପଭୋକ୍ତାଙ୍କୁ ମନୋରଞ୍ଜନ ଟିକସ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଛେଦିନ (ସୁୂଦିନ) କହିଲେ ଧନପତିଙ୍କ ଅମାର ଭିତରେ ଗରିବଙ୍କୁ କଳବଳ କୌଶଳେ ଭର୍ତି କରି ରକ୍ତମାଂସ ହାଡ଼ ଝୁଣିବା । ଦ୍ୱିତୀୟ ପାଳିର ଅନ୍ତିମ ବଜେଟରେ ଏଭଳି କିଛି ଲକ୍ଷଣ ପ୍ରକାଶ ପାଇଛି । ଆୟକର ଛାଡ଼ ବାହାନାରେ ଧନୀଙ୍କ ପାଇଁ ଗଳାବାଟ କରାଯାଇଛି ।

ମାତ୍ର ଟିଭି ଦେଖିବା ଭଳି ମନୋରଞ୍ଜନ କ୍ଷେତ୍ରଟିକୁ ମହଙ୍ଗା କରି ଦିଆଯାଇଛି । ସଂକ୍ଷେପରେ କହିଲେ, ଡିଟିଏଚ୍‌ ରିଚାର୍ଜ ଦେୟ ବୃଦ୍ଧି କରାଯାଉଛି । ଫଳରେ ବହୁ ଉପଭୋକ୍ତାଙ୍କୁ ମନୋରଞ୍ଜନ ଟିକସ ଦେବାକୁ ପଡ଼ିବ । ଯାତ୍ରା, ସିନେମା ଟିକେଟ୍‌ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମନୋରଞ୍ଜନ ଟିକସ ଆଦାୟ କରୁଛନ୍ତି ।

ଟିଭି ପ୍ରସାରଣ ସଂସ୍ଥା ପକ୍ଷରୁ ବଢ଼ା ଯାଇଥିବା ଡାଇରେକ୍ଟ-ଟୁ-ହୋମ୍‌ (ଡିଟିଏଚ୍‌) ସେବାକର ଉପଭୋକ୍ତାଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ଏକାବେଳକେ ଉପଭୋକ୍ତାଙ୍କ ମୁଣ୍ଡରେ ଡିଟିଏଚ୍‌ ଚଡ଼କ ପକାଇବା ବଦଳରେ ଧୀରେଧୀରେ ଲଦିବା ମାମଲାରେ ମୋଦୀ ସରକାର ମାହିର । ସଦ୍ୟତମ ରିପୋର୍ଟ ମୁତାବକ ଡିଟିଏଚ୍‌ ଦେୟରେ ୨୫ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।