ନୂଆଦିଲ୍ଲୀ: ଇସଲାମୀଙ୍କୁ ସବୁଜ ଆତଙ୍କୀ ଓ ଖ୍ରୀଷ୍ଟିୟାନଙ୍କୁ ଶ୍ୱେତ ଆତଙ୍କୀ ଦର୍ଶାଇ ବିବାଦ ଭିତରକୁ ଧସେଇ ପଶିଥିବା ଆଇନଜୀବୀ ଲକ୍ଷ୍ମଣ ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କୁ ମାଦ୍ରାସ ହାଇକୋର୍ଟରେ ବିଚାରପତି ନିଯୁକ୍ତ କରାଯିବା ପରଠାରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଗୌରୀଙ୍କ ନିଯୁକ୍ତିକୁ ତୀବ୍ର ବିରୋଧ କରି ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ୍ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ବିଚାର ପାଇଁ ଫେବୃଆରୀ ୧୦ ତାରିଖ ଧାର୍ଯ୍ୟ କରିଥିଲେ, ମାତ୍ର ଆଇନଜୀବୀ ରାଜୁଙ୍କ ଅନୁରୋଧ କ୍ରମେ ଫେବୃଆରୀ ୭ ତାରିଖରେ ବିଚାର କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।ଆଡଭୋକେଟ୍ ଗୌରୀଙ୍କୁ ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମାଡ୍ରାସ୍ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । ତେବେ ସୁପ୍ରିମକୋର୍ଟ କଲେଜିୟମ୍ ଗୌରୀଙ୍କ ନାମ ସୁପାରିଶ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାର ଖବର ଶୁଣିବା ମାତ୍ରେ ମାଡ୍ରାସ୍ ହାଇକୋର୍ଟ ଓକିଲମାନେ ତୀବ୍ର ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି ।
ମାଡ୍ରାସ ହାଇକୋର୍ଟର ୨୨ ଜଣ ଆଇନଜୀବୀ ମିଳିତ ଭାବେ କଲେଜିୟମ ଓ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି ଗୌରୀଙ୍କୁ ବିଚାରପତି ଭାବେ ନିଯୁକ୍ତ ନ କରିବା ପାଇଁ ଅନୁରୋଧ କରିଥିଲେ । ଓକିଲମାନେ ଜଣାଇଛନ୍ତି ଯେ ଆଇନଜୀବୀ ଗୌରୀ ଏବେ ବିଜେପି ମହିଳା ମୋର୍ଚ୍ଚାର ମହାସଚିବ ଅଛନ୍ତି । ତା’ ସହିତ ଓକିଲମାନେ ଗୌରୀଙ୍କ ବିବାଦୀୟ ବୟାନ ସଂପର୍କରେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।