ରାଜନେତାଙ୍କ ଅପକର୍ମର ସୁରକ୍ଷା କବଚ ପାଲଟିଛି ପୁଲିସ

ମାତ୍ର ସେଥିପ୍ରତି ସରକାର ଓ ପୁଲିସ ପ୍ରଶାସନର ଭ୍ରୁକ୍ଷେପ ନାହିଁ…

ଭୁବନେଶ୍ୱର: କେନ୍ଦୁଝର ହାଜତ ମୃତ୍ୟୁ ମାମଲା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲା, ବଡ଼ମ୍ବା ବନବିଭାଗ ହାଜତ ମୃତ୍ୟୁ ଘଟଣାଗୁଡ଼ିକ ନିମିତ ମାତ୍ର । ମମିତା ମେହେର ହତ୍ୟାକାଣ୍ଡ, ନୟାଗଡ଼ ପରୀ ହତ୍ୟା ମାମଲା ଭଳି ବହୁ ମାମଲାରେ ପୁଲିସର ସନ୍ଦେହଜନକ କାର୍ଯ୍ୟକଳାପ କ୍ରମେ ଜନତାଙ୍କ ମନରେ ପୁଲିସ ପ୍ରତି ବିତୃଷ୍ଣା ଭାବନା ସୃଷ୍ଟି କରୁଛି । ପୁଲିସ ଉପରେ ଲୋକଙ୍କର ଭରସା ତୁଟିଯାଉଛି । ମାତ୍ର ସେଥିପ୍ରତି ସରକାର ଓ ପୁଲିସ ପ୍ରଶାସନର ଭ୍ରୁକ୍ଷେପ ନାହିଁ । ବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ମାମଲାରେ ଆଠଗଡ଼ ପୁଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଦୁଇଜଣ ଫରେଷ୍ଟର ମନୋଜ ଦାସ ଓ ଦୀପକ ସେଠୀ, ୩ ଜଣ ଫରେଷ୍ଟ ଗାର୍ଡ କୁନା ବେହେରା, ପ୍ରଭାତ ପ୍ରଧାନ ଓ ସୁନାୟକ ମାଝିଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟ ୮ ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଛି । ଆଗାମୀ ଦିନରେ ପୁଲିସ ହାତରେ ବଳିଷ୍ଠ ତଥ୍ୟ ପ୍ରମାଣ ପଡ଼ିଲେ, ଛାଡ଼ ପାଇଥିବା ୮ ଜଣଙ୍କ ଭିତରୁ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ଆଠଗଡ଼ ଏସ୍‌ଡିପିଓ ।

ହାଜତ ମୃତ୍ୟୁ ଘଟଣାରେ ବ୍ୟବହୃତ ବୋଲେରୋ ଗାଡ଼ି, ମାଡ଼ରେ ବ୍ୟବହୃତ ଚାରିଟି ବାଡ଼ି, ମୃତକ ଧନେଶ୍ୱର ବେହେରାଙ୍କ ମୃତଦେହକୁ ପୁଲିସ ଜବତ କରିଛି । ଗିରଫ ମନୋଜ ଦାସଙ୍କ କ୍ଷେତ୍ରରେ ବନ ବିଭାଗର ଅନୁକମ୍ପା ମନୋଭାବ କ୍ରମେ ଘଟଣାକୁ ଆହୁରି ବିବାଦୀୟ କରିଛି । ବଡ଼ମ୍ବା ମାଟିତଳୁ ହାତୀକଙ୍କାଳ ଉଦ୍ଧାର ଘଟଣାରେ ମନୋଜ ଦାସଙ୍କ ଭୂମିକା ପ୍ରତି ନାନା ପ୍ରଶ୍ନ ଉଠିଛି ।