ନାଗା ସନ୍ନ୍ୟାସୀନୀଙ୍କୁ ଲହୁଲୁହାଣ କଲେ ନାଗାସାଧୁ

ସେହି କଥାକୁ କେନ୍ଦ୍ର କରି ଶିବା ତାଙ୍କୁ ଆକ୍ରମଣ କରିଛନ୍ତି…

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟା ସମୟ । ଜୁନା ଅଖାଡ଼ାର ପୀଠାଧୀଶ୍ୱର ନାଗା ସନ୍ନ୍ୟାସୀନୀ ଜୟଶ୍ରୀକାନନ୍ଦ ମାତାଜୀ ଆଶ୍ରମରେ ଚଳପ୍ରଚଳ କରୁଥିବା ସମୟରେ ଜଣେ ନାଗାସାଧୁ ଖଣ୍ଡା ଧରି ହଠାତ୍‌ ତାଙ୍କ ଆଡ଼କୁ ମାଡ଼ିଗଲେ । ଅନ୍ୟ ସାଧୁମାନେ କିଛି ଭାବିବା ଆଗରୁ ଖଣ୍ଡା ଉଠାଇଥିବା ସାଧୁଜଣକ ମାତାଜୀଙ୍କୁ ଧକ୍କା ମାରି ତଳେ ପକାଇଦେଲେ । ମାତାଜୀଙ୍କ ଛାତିର ତଳଭାଗରେ ଖଣ୍ଡା ଭୁଷିଦେଲେ । ନାଗାସାଧୁଙ୍କ ଖଣ୍ଡାବୁଲା ଓ ଧମକରେ ଅନ୍ୟ ସାଧୁମାନେ ବରଡ଼ା ପତ୍ର ପରି ଥରୁଥିଲେ ମାତ୍ର ସନ୍ନ୍ୟାସୀନୀଙ୍କ ନିକଟକୁ ଯାଉ ନଥିଲେ ।

ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ମହିଳା ରିପୋର୍ଟର ବଡ଼ ପାଟିରେ ଡାକ ପକାଇ ସନ୍ନ୍ୟାସୀନୀଙ୍କ ନିକଟକୁ ଚାଲିଗଲେ। ମହିଳା ରିପୋର୍ଟରଙ୍କ ଅନୁରୋଧକୁ ରକ୍ଷା କରି ଦୁଇଜଣ ସାଧୁ ସନ୍ନ୍ୟାସୀନୀଙ୍କୁ ତଳୁ ଉଠାଇ କାର ନିକଟକୁ ନେଇଗଲେ । ଡାକ୍ତରଖାନାରେ ଜୟଶ୍ରୀକାନନ୍ଦ ମାତାଜୀଙ୍କର ଚିକିତ୍ସିତ ହେଉଥିବା ସମୟରେ ମଠର ଅନ୍ୟ ସାଧୁମାନେ ଡାକ୍ତରଖାନାରେ ରୁଣ୍ଡ ହୋଇଥିଲେ ।

ଖବର ଶୁଣି ପୁଲିସ କମିଶନର, ମେୟର, ଡେପୁଟି ମେୟର ସମେତ ଅନ୍ୟ ବିଶିଷ୍ଟ ଲୋକମାନେ ଡାକ୍ତରଖାନାରେ ପହଂଚିଥିଲେ । ମାତାଜୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ନାଗାଙ୍କୁ ଗିରଫ କରିଛି । ମାତାଜୀଙ୍କ ଅଭିଯୋଗ ମୁତାବକ ଦୁଇଦିନ ତଳେ ଅଭିଯୁକ୍ତ ନାଗାସାଧୁ ଶିବା ନିଶାସକ୍ତ ଅବସ୍ଥାରେ ଦୁଇଜଣ ନାଗା ସନ୍ନ୍ୟାସୀନୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ । ସଂପୃକ୍ତ ଘଟଣାରେ ଜୟଶ୍ରୀକାନନ୍ଦ ଶିବାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ସେହି କଥାକୁ କେନ୍ଦ୍ର କରି ଶିବା ତାଙ୍କୁ ଆକ୍ରମଣ କରିଛନ୍ତି ।