ଫେବୃଆରୀ ୨୮: ରମଣଙ୍କ ବିନା ବିଜ୍ଞାନ ‘ଜଡ଼’

ଦୈନନ୍ଦିନ ଜୀବନରେ ବିଜ୍ଞାନର ଅବଦାନକୁ ପ୍ରତିଟି ମଣିଷ ଅନୁଭବ କରିପାରୁଛନ୍ତି…

ନୂଆଦିଲ୍ଲୀ: ବିଶ୍ୱ ବିଜ୍ଞାନକୁ ଭାରତର ନୋବେଲ ବିଜେତା ସାର ସିଭି ରମଣଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖଟିକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି । ୧୯୮୬ରେ ଭାରତ ସରକାରଙ୍କ ଏହି ନିଷ୍ପତି ଆଜି ବିଜ୍ଞାନ ଆବାଳ ବୃଦ୍ଧ ବନିତାଙ୍କର ପ୍ରିୟଭାଜନ ହୋଇପାରିଛି । ଦୈନନ୍ଦିନ ଜୀବନରେ ବିଜ୍ଞାନର ଅବଦାନକୁ ପ୍ରତିଟି ମଣିଷ ଅନୁଭବ କରିପାରୁଛନ୍ତି । ସକାଳେ ଶଯ୍ୟାତ୍ୟାଗଠାରୁ ଆରମ୍ଭ କରି ରାତିରେ ପୁଣି ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ମଣିଷର ଦାସ ଭଳି ଖଟୁଛି ବିଜ୍ଞାନ ।

୧୯୩୦ରେ ସାର ସିଭି ରମଣ ନୋବେଲ ପୁରସ୍କାର ଲାଭ କରିଥିଲେ । ସେତେବେଳେ ଭାରତର କ୍ୱଚିତ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଜ୍ଞାନ । କିନ୍ତୁ ଆଜି ମଣିଷ ବିଜ୍ଞାନର ଗୋଲାମ ହୋଇଯାଇଛି । ବିଜ୍ଞାନ ବିନା ମଣିଷ ପାଦେ ଆଗକୁ ଯାଇପାରୁନି । ବିଜ୍ଞାନର ଗୋଲାମଗିରି କରିବା ଅର୍ଥ ମଣିଷ ନିଜକୁ ମହାବିପଦ ଆଡ଼କୁ ଟାଣି ନେଉଛି । ମଣିଷ ମନରୁ ଏ ପ୍ରକାର ମନୋଭାବ ଦୂର କରିବା ଆଜି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଭାରତ ଏ ବର୍ଷ ଜି-୨୦’ର ନେତୃତ୍ୱ ନେଉଛି । ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଭାରତ ବିଶ୍ୱବାସୀଙ୍କୁ ବିଜ୍ଞାନର ମାନବ କଲ୍ୟାଣ ପ୍ରତି ଦୃଷ୍ଟି ଆକର୍ଷଣ କରିଛି । ବିକଶିତ ପୃଥିବୀରୁ କ୍ଷୁଧା ନିବାରଣ ଦୂର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ; ଆତଙ୍କବାଦ ବିଲୋପ ସେତିକି ଜରୁରୀ ।

ବିଜ୍ଞାନକୁ ଅସ୍ତ୍ର କରି ଆତଙ୍କବାଦୀ ସଂଗଠନ ବିଶ୍ୱବାସୀଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ଭୟ ଓ ହତାଶ ଭରିଦେଉଛି । ଧରାପୃଷ୍ଠରୁ ଆତଙ୍କିତ ବାତାବରଣ ଦୂର କରିବା ଦିଗରେ ବିଜ୍ଞାନର ସହଯୋଗ ଜରୁରୀ । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ଆବଶ୍ୟକତା ପୂରଣ ପାଇଁ ବିଜ୍ଞାନକୁ କିଭଳି ପ୍ରୟୋଗ କରିହେବ; ତାହା ଆଜି ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ।